ବୁଗୁଡ଼ା,୦୨।୧୧(ପୂର୍ଣ୍ଣଚନ୍ଦ୍ର ବାରିକ):ବୋଝ ଉପରେ ଲଳିତା ବିଡ଼ା ପରି ପ୍ରଥମେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ, ଏବେ ଆଉ ଏକ ବାତ୍ୟା “ଅମାସୁ” ର ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କ୍ଷେତରେ ଲହଡ଼ି ଭାଙ୍ଗୁଥିବା ପାଚିଲା ଧାନ ଏବେ ବର୍ଷା ଯୋଙ୍ଗୁ ଚାଷୀ କ୍ଷତିଗ୍ରସ୍ତ। ଯେଉଁ ଧାନକୁ ଅମଳ କରି ଦୁଇ ପଇସା ରୋଜଗାର କରିବାର ସ୍ୱପ୍ନ ଦେଖିଥିଲା ଚାଷୀ, ସେହି ସ୍ୱପ୍ନ ଏବେ ଧୂଳିସାତ୍ ହେବାକୁ ବସିଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳର ଚାଷୀଙ୍କ ମନରେ ଘାରିଛି ଅମଳ ଚିନ୍ତା। ତେବେ କେମିତି ଅଛି ଚାଷୀଙ୍କ ସ୍ଥିତି? କେମିତି ହେବ କ୍ଷତି ଭରଣା? ଦେଖିବା ଏହି ସ୍ୱତନ୍ତ୍ର ରିପୋର୍ଟ।ମାସ ମାସର ପରିଶ୍ରମ, ଧାର କରଜ କରି ଚାଷରେ ଲଗାଇଥିବା ଟଙ୍କା ଆଉ ଭଲ ଅମଳର ଆଶା। ହେଲେ ପ୍ରକୃତିର ଦାଉ ଆଗରେ ସବୁକିଛି ଯେମିତି ହାର ମାନିଛି। ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଚାଷଜମିକୁ କ୍ଷତିଗ୍ରସ୍ତ କରିଥିବା ବେଳେ, ଚାଷୀଙ୍କ ଆଖିରୁ ଶୁଖୁନି ଲୁହ। କେଉଁଠି ଧାନ ଗଛ ମାଟିରେ ଲୋଟି ପଡ଼ିଛି ତ ଆଉ କେଉଁଠି ଜମିରେ ଜମି ରହିଛି ବର୍ଷା ପାଣି। ଆଉ ଏବେ ଅମାସୁ ଆଶଙ୍କା ଚାଷୀଙ୍କ ନିଦ ହଜାଇ ଦେଇଛି।ଧାନ ଅମଳ ସମୟରେ ପାଗର ଏଭଳି ପରିବର୍ତ୍ତନ ଚାଷୀଙ୍କ ପାଇଁ ଆଣିଛି ନୂଆ ବିପଦ। ଜମିରେ ପାଣି ଜମି ରହିଲେ ଧାନ ଗଛ ପଚିଯିବା, ଧାନ ଝଡ଼ିବା ଓ ଅମଳ କମିବାର ଆଶଙ୍କା ରହିଛି। ଅନ୍ୟପଟେ, ଆଉଥରେ ବର୍ଷା ହେଲେ ବଳକା ଫସଲ ମଧ୍ୟ ନଷ୍ଟ ହୋଇଯିବାର ଭୟ ରହିଛି। ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ଦେଖାଦେଇଛି।ଏପଟେ ଚାଷ ପାଇଁ ଖର୍ଚ୍ଚ କରିଥିବା ଟଙ୍କା କେମିତି ଫେରିବ, ଧାର କରଜ କେମିତି ସୁଝିବେ ଆଉ ପରିବାର କେମିତି ଚଳାଇବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ। ପ୍ରକୃତିର ଦାଉରୁ ଚାଷୀଙ୍କୁ ରକ୍ଷା କରିବା ସହ କ୍ଷୟକ୍ଷତିର ଉଚିତ ଆକଳନ, ତୁରନ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।ପ୍ରକୃତିର ଦାଉରେ ଚାଷୀଙ୍କ ଫସଲ ନଷ୍ଟ ହେବା ସହ ଉଜୁଡ଼ିବାକୁ ବସିଛି ପରିବାରର ଆର୍ଥିକ ସ୍ଥିତି। ବାତ୍ୟା ଅର୍ଣ୍ଣବର କ୍ଷତିରୁ ମୁକୁଳିବା ପୂର୍ବରୁ ଅମାସୁ ଆଶଙ୍କା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏଭଳି ସ୍ଥିତିରେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଚାଷୀଙ୍କ କ୍ଷୟକ୍ଷତିର ସଠିକ୍ ଆକଳନ କରି ତୁରନ୍ତ ସହାୟତା ଯୋଗାଇ ଦେବା ହିଁ ଏବେ ସମୟର ଆହ୍ୱାନ।

