ବ୍ରହ୍ମପୁର,୧୫/୦୬(ହିମାଂଶୁ ଶେଖର ସାବତ):ଓଡ଼ିଶାର ଗଣପର୍ବ ଭାବେ ପରିଚିତ ରଜପର୍ବକୁ ବ୍ରହ୍ମପୁର ସହରରେ ଏବର୍ଷ ମଧ୍ୟ ବେଶ୍ ଆଡମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି। ରଜପର୍ବ ଅବସରରେ ସମସ୍ତ ଘରପରିସରକୁ ପାରମ୍ପରିକ ଢଙ୍ଗରେ ସଜାଯାଇଥିବା ବେଳେ ମହିଳାମାନେ ରଜଗୀତ ଗାଇବା ସହ ଦୋଳି ଖେଳରେ ମତୁଆଲା ହୋଇଥିଲେ। ରଜପର୍ବର ମୁଖ୍ୟ ଆକର୍ଷଣ ଭାବେ ବିଭିନ୍ନ ପ୍ରକାରର ପାରମ୍ପରିକ ପିଠା ଯଥା ପୋଡ଼ପିଠା, ଆରିସା, କାକରା, ଚକୁଳି ଓ ଅନ୍ୟାନ୍ୟ ପିଠା ପ୍ରସ୍ତୁତ କରାଯାଇଥିଲା। ଏହା ସହ ମିଠାପାନର ଆସର ମଧ୍ୟ ଜମିଥିଲା। ସମସ୍ତେ ମିଶି ରଜର ପାରମ୍ପରିକ ରୀତିନୀତିକୁ ଉପଭୋଗ କରିବା ସହ ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିଥିଲେ।ଓଡ଼ିଆ ସଂସ୍କୃତିର ଏହି ଅନନ୍ୟ ପର୍ବ କେବଳ ଓଡ଼ିଆମାନଙ୍କ ମଧ୍ୟରେ ସୀମିତ ନ ରହି ଅନ୍ୟ ଭାଷାଭାଷୀ ଲୋକଙ୍କ ମଧ୍ୟରେ ମଧ୍ୟ ଲୋକପ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ବ୍ରହ୍ମପୁର ପରି ବହୁଭାଷୀ ଓ ବହୁସାଂସ୍କୃତିକ ସହରରେ ଏପରି ମିଳିତ ଉତ୍ସବ ସାମାଜିକ ଦ୍ଭାବନାକୁ ଆହୁରି ସୁଦୃଢ଼ କରୁଛି। ରଜପର୍ବ ହେଉଛି ଓଡ଼ିଆ ମାଟିର ଏକ ଅନନ୍ୟ ପର୍ବ, ଯାହା ନାରୀ ସମ୍ମାନ, ପ୍ରକୃତି ପ୍ରତି ଶ୍ରଦ୍ଧା ଓ ସାମାଜିକ ମିଳନର ପ୍ରତୀକ। ଏହି ପର୍ବକୁ ସମସ୍ତ ସମ୍ପ୍ରଦାୟ ଓ ଭାଷାଭାଷୀ ଲୋକଙ୍କୁ ଏକାଠି କରି ପାଳନ କରିବା ମାଧ୍ୟମରେ ଭାଇଚାରା ଓ ସାଂସ୍କୃତିକ ସମନ୍ୱୟର ବାର୍ତ୍ତା ପ୍ରସାର କରିବା ହିଁ ଉଦ୍ଦେଶ୍ୟ। ସ୍ପେକ୍ଟରମ କଲୋନୀ ଗାନ୍ଧୀନଗରରେ ରହୁଥିବା ,ମମତା ମହାନ୍ତି , ସଂଯୁକ୍ତା ପଣ୍ଡା, ଜାନକୀ ସାହୁ, ପାୟଲ ପାତ୍ର ,କୁସୁମ ପଟନାୟକ, ମୋନାଲିସା ସାମଲ ,କଲୋନୀବାସିନ୍ଦାଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଏହି ଉତ୍ସବରେ ସାମିଲ ହୋଇ ରଜପର୍ବର ଆନନ୍ଦକୁ ଉପଭୋଗ କରିଥିଲେ। ପାରମ୍ପରିକତା, ଆନନ୍ଦ ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ସମନ୍ୱୟରେ ଆୟୋଜିତ ଏହି ରଜ ଉତ୍ସବ ବ୍ରହ୍ମପୁର ସହରରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

