ବ୍ରହ୍ମପୁର,୧୧/୪,(ହିମାଂଶୁ ଶେଖର ସାବତ):ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ରେଶମ ସହର ମହୋତ୍ସବରେ ବ୍ରହ୍ମପୁର ପୁଲିସ ପକ୍ଷରୁ ୩ ଦିନିଆ ଅସ୍ତ୍ରଶସ୍ତ୍ର ଏବଂ ବୋମା ନିଷ୍କ୍ରିୟକାରୀ ୟୁନିଟ୍ ପ୍ରଦର୍ଶନୀ ଆରମ୍ଭ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜ ଆଲଜି ନୀତି ଶେଖର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ | ବ୍ରହ୍ମପୁର ଏସ୍ପି ଡ଼ା.ଶର୍ବଣା ବିବେକ ଏମ୍ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଯୋଗଦେଇ ଏକେ-୪୭ ରାଇଫଲ୍ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଥିଲେ ।ଏହି ପ୍ରଦର୍ଶନୀରେ ଇନସାସ୍ ରାଇଫଲ,ଏକେ-୪୭, ଏମପି-୫, ସବ୍ମେସିନ ଗନ୍,ଲାଇଟ୍ ମେସିନ ଗନ୍ ଏବଂ ଏସଏଲଆର୍ ଭଳି ଅତ୍ୟାଧୁନିକ ବନ୍ଧୁକ ସାମିଲ ହୋଇଥିଲା । ବିପଦପୂର୍ଣ୍ଣ ସମୟରେ ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ନିଜକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରୁଥିବା ସ୍ବତନ୍ତ୍ର ସୁଟ୍ ଏଠାରେ ପ୍ରଦର୍ଶିତ କରାଯାଇଛି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ୍ଫି ପଏଣ୍ଟ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ଲୋକମାନେ ପୁଲିସ ଉପକରଣ ସହିତ ଫଟୋ ଉଠାଇ ପାରୁଛନ୍ତି ।

