ଭଞ୍ଜନଗର,୨୩/୦୬(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ପକ୍ଷରୁ ମଙ୍ଗଳବାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ବାସ୍ଥ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ମାନେ ଯୋଗ ଦେଇ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ବିଭିନ୍ନ ପରୀକ୍ଷା ମଧ୍ୟ କରିଥିଲେ। ଆୟୋଜିତ ଏହି ଶିବିରରେ ସହର ଓ ଆଖପାଖ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମାଗଣାରେ ଡାକ୍ତରୀ ପରାମର୍ଶ ସହ, ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଚାପ, ବ୍ଳଡ ସୁଗାର ଭଳି ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ଯାଞ୍ଚ ସେବା କରାଯାଇଥିଲା। ଡାକ୍ତର ମାନେ ବୟସ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏହାର ଶୁଭାରମ୍ଭ କରିଥିବା ବେଳେ ଅତିଥି ଭାବେ ଡା.ସୀମାଞ୍ଚଳ ଡାକୁଆ,ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଏଭଳି କାର୍ଯ୍ୟକ୍ରମ ଦ୍ବାରା ପୁଲିସ ବରିଷ୍ଠ ନାଗରିକ ତଥା ଜନସାଧାରଣଙ୍କୁ ପୁଲିସ ସେମାନଙ୍କ ବନ୍ଧୁ ଭଳି କାର୍ଯ୍ୟ କରୁଥିବା ଦର୍ଶାଇବା ସହ ସାଧାରଣ ଲୋକଙ୍କ ମନରେ ପୁଲିସ ପ୍ରତି ଥିବା ଭୟ ଦୂର ହେବା ସହ ସମ୍ପର୍କକୁ ଆହୁରି ମଜବୁତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ସାମାଜିକ ଦାୟିତ୍ୱବୋଧ ଓ ମାନବିକତାର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା ମିଳିଛି। ସମୁଦାୟ ୧୦୬ ଜଣ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଜଣାପଡିଛି। ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହିଥିଲେ।

