କୋଦଳା,୧୬/୦୬(ବାପୁନି ମାଲୁ): ୩ ମାସ ହେଲା ବିଧବା ଭତ୍ତା ନମିଳିବାରୁ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଅସହାୟ ବୃଦ୍ଧା । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଧକୋଟ ପଂଚାୟତ ଚଢିଆପଡା ଗାଁରେ । ଗାଁର ସ୍ବର୍ଗତ ବି. ଗୁଣ ଦୋରା ଙ୍କ ସ୍ତ୍ରୀ ବି. ସାବିତ୍ରୀ ଦୋରା ଦୀର୍ଘ ୧୭ ବର୍ଷ ହେଲା ବିଧବା ଭତ୍ତା ପାଇ ଆସୁଥିଲେ । କିନ୍ତୁ ଗତ ୩ ମାସ ହେଲା କୌଣସି କାରଣରୁ ତାଙ୍କ ଭତ୍ତା ବନ୍ଦ ହୋଇଯାଇଥିଲା । ଭତ୍ତା ଟଙ୍କା ପାଇଁ ବାରମ୍ବାର ପଂଚାୟତ ଅଫିସରୁ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଥିଲେ ବୃଦ୍ଧା । ଶେଷରେ ନିରାଶ ହୋଇ ଗତ ରବିବାର ଦିନ ଚାଉଳରେ ଦିଆଯାଉଥିବା ପୋକମରା ଔଷଧ ଖାଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଝିଅ ଚାନ୍ଦ ଦୋରା ଅଭିଯୋଗ କରିଛନ୍ତି । ସାବିତ୍ରୀଙ୍କର କୌଣସି ପୁଅ ନଥିବା ବେଳେ ତିନି ଝିଅ ବିବାହ କରି ଶାଶୁଘରେ ରହୁଛନ୍ତି। ଦୁଇ ଜଣ ଝିଅ ଚେନ୍ନାଇରେ ରହୁଥିବା ବେଳେ ଗାଁରେ ଥିବା ସାନ ଝିଅ ମେଡ଼ିସିନ ପାଇଁ କିଛି ସାହାର୍ଯ୍ୟ କରୁଥିଲେ ମଧ୍ୟ ତାହା ଯଥେଷ୍ଟ ନଥିଲା। ଶେଷରେ ନିଜକୁ ସମ୍ପୂର୍ଣ୍ଣ ଅସହାୟ ମନେ କରି ବୃଦ୍ଧାଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ତାଙ୍କ ସାନ ଝିଅ।

