ଭବାନୀପାଟଣା,୩।୧୦(କିଶନ ଶର୍ମା):ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଭିଏତନାମର ହାନୋଇସ୍ଥିତ ‘ହାନୋଇ ଇଣ୍ଡଷ୍ଟ୍ରିଏଲ ଏଣ୍ଡ ଟ୍ରେଡ ବିଶ୍ୱବିଦ୍ୟାଳୟ’ ଶିକ୍ଷା ଓ ତାଲିମ ମନ୍ତ୍ରଣାଳୟ ଭିଏତନାମରେ ନିଜ ସନ୍ଦର୍ଭ ଗ୍ରାମାଞ୍ଚଳ ଆୟବୃଦ୍ଧି ପାଇଁ ପାରମ୍ପରିକ ଜ୍ଞାନ କୌଶଳର ବ୍ୟବହାର ଶୀର୍ଷକ ଉପସ୍ଥାପିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ଆଲୋଚନା ଚକ୍ରରେ ସଭାପତି ଭାବେ ପ୍ରଫେସର ସନ୍ଦୀପ କର, ରେକ୍ଟର ହାନୋଇ ହୋଆଙ୍ଗ ହୁଆନ ହିପ, ଜର୍ମାନୀର ଗୀରହାର୍ଡ ପିଟର, ମାଲାୟସିଆ ଗୀତା ସୁଭ୍ରମନ୍ୟମ୍, ନିଉଜିଲ୍ୟାଣ୍ଡର ଜୁଲିଆ ହେନସେ, ନେମପେ କାମ୍ବୋଡିଆର ଫାଲଜି ହେପ, ଜର୍ମାନୀର ଇଚକାର୍ଡ କୋଚ, ଦେବୀ ପ୍ରସାଦ ମିଶ୍ର, ଡ. ସୀମା ସିଂହ, ଡ଼ ଜୟଶ୍ରୀ ବାଳା ମଲ୍ଲିକ, ଡ଼ ସଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆନ୍ତର୍ଜାତୀୟ ଆଲୋଚନା ଚକ୍ରରେ ସମୁଦାୟ ୧୫ ଗୋଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେଇ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ଏହି ଆଲୋଚନା ଚକ୍ର ୧ ଅକ୍ଟୋବର ରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଅଧ୍ୟାପକ ଶ୍ରୀ ଦାଶଙ୍କ ଏହି ସଫଳତା ପାଇଁ ତାଙ୍କ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ ସହକର୍ମୀ, ଶିକ୍ଷାବିତ୍, ବିଭିନ୍ନ ଅନୁଷ୍ଠାନର ଶୁଭେଚ୍ଛୁ ଗଣ ଶୁଭେଚ୍ଛାବାର୍ତ୍ତା ଜଣାଇଛନ୍ତି। ଭିଏତନାମର ଏହି ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଶ୍ରୀ ଦାଶ ନିଜ ସନ୍ଦର୍ଭ ଉପସ୍ଥାପନା କରି ଦେଶ ତଥା ନିଜ ଜନ୍ମସ୍ଥାନ ଓ କର୍ମକ୍ଷେତ୍ର ଅନେକ ଗର୍ବ ଓ ଗୌରବ ଆଣିଛନ୍ତି।

