ବୁଗୁଡ଼ା,୧୦/୪(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମରେ ଜମିବାଡି ବିବାଦକୁ ନେଇ ମଝିଆଭାଇର ମରଣାନ୍ତକ ଆକ୍ରମଣରେ ବଡ ଓ ସାନଭାଇ ଉଭୟେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାପାଇଛି । ଗୁରୁତର ଦୁଇଜଣ ହେଲେ ବଡଭାଇ ଧୋବା ଗୌଡ (୫୭) ଓ ସାନ ଭାଇ ଦୁର୍ଯ୍ୟଧନ ଗୌଡ (୫୦) । ମଝିଆ ଭାଇ ପଞ୍ଚୁ ଗୌଡ ଉଭୟଙ୍କୁ ଆକ୍ରମଣ କରିଥିଲା । ଘଟଣାରୁ ପ୍ରକାଶ ଯେ, ପୂର୍ବରୁ ଜମିବାଡିକୁ ନେଇ ତିନି ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । ତେବେ ଗୁରୁବାର ସନ୍ଧ୍ୟାରେ ଜତ ଧୋବା ଓ ଦୁର୍ଯ୍ୟଧନ ଘର ଆଗରେ ଠିଆ। ହୋଇ କଥାବାର୍ତ୍ତା ହେଉଥିବା ବେଳେ ପଞ୍ଚୁ ପଛପଟୁ ଆସି ଏକ ଫାଉଡାରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା। ଦୁଇ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା। ସେ ଦୁହିଁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୁଇ ଭାଇଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆକ୍ରମଣକାରୀ ପଞ୍ଚୁକୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପାଇଛି।

