ବୁଗୁଡ଼ା,୧୫/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ସହରବାସୀଙ୍କୁ କଲବଲ କଲେଣି ମଶା। ମଶା ଏବେ ସହରବାସୀଙ୍କ ନିଦ ହଜେଇ ଦେଇଛି । ସଞ୍ଜ ନଇଁଲେ ସହରର ମୁଖ୍ୟ ସଡକ ଠାରୁ ଆରମ୍ଭ କରି ବିଭିନ୍ନ ସାହି ଗଳିର ବାସିନ୍ଦାମାନେ କଲବଲ ହେଉଛନ୍ତି । ମଶାଙ୍କ ଦୌରାତ୍ମ୍ୟ ହ୍ରାସ କରିବାରେ ବୁଗୁଡ଼ା ଏନଏସି ସମ୍ପୂର୍ଣ୍ଣ ଫେଲ ମାରିଛି । ଫଳରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ବୁଗୁଡ଼ା ସହରକୁ ସ୍ୱଚ୍ଛ ରଖି ଲୋକଙ୍କୁ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ପ୍ରଶାସନ କାମଚଳା ଉଦ୍ୟମ କରୁଥିବା ବେଳେ ମଶାଙ୍କ ଦାଉରେ ସହରବାସୀ ତ୍ରାହି ତ୍ରାହି ଡାକୁଥିଲେ ହେଁ ପ୍ରଶାସନର ଦୃଷ୍ଟି ନ ପଡ଼ିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ଏବେ ସହରରେ ସଞ୍ଜ ନଇଁଲା ମାତ୍ରେ ଘରେ ଓ ଦାଣ୍ଡରେ ମଶା ବେଢି ଦେଉଛନ୍ତି । ମୁହଁ ପାଖରେ ଭଁ ଭଁ ହୋଇ ଉଡୁଛନ୍ତି । କେଉଁଠି ବି ଛିଡ଼ା କରାଇ ଦେଉନାହାନ୍ତି । ଏପରିକି ରାତିରେ ମଶାରି ଭିତରେ ମଧ୍ୟ ଶାନ୍ତିରେ ଶୁଆଇ ଦେଉନାହାନ୍ତି। ମଶାରି ବାହାରେ ଭଣଭଣ ହେଉଛନ୍ତି । ଟିକିଏ ସୁବିଧା ପାଇଲେ ମଶାରି ଭିତରକୁ ପଶି ରକ୍ତ ଶୋଷିବାରେ ଲାଗି ଯାଉଛନ୍ତି । ଫଳରେ କାମୁଡ଼ିବା ସ୍ଥାନଟି ପ୍ରବଳ ମାତ୍ରାରେ କୁଣ୍ଢେଇ ହେଉଛି । ଘର ଭିତରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ନାମୀଦାମୀ କମ୍ପାନୀର ମଶାମରା ଲିକ୍ୟୁଇଡ୍ କି କଏଲ ଧୂଆଁ ମଧ୍ୟ କାମ କରୁନି । ତାହାକୁ ଖାତିର କରୁନାହାନ୍ତି ମଶା। ମଶାଙ୍କ ଦାଉରେ ଅସ୍ତବ୍ୟସ୍ତ ସହରବାସୀ ସହରବାସୀ ହୋଇପଡିଲେଣି । ତେଣୁ ମଶାଙ୍କୁ ଭୟ କରି ଅପରାହ୍ନ ୪ଟାରୁ ସହରବାସୀ ନିଜ ନିଜ ଘରର କବାଟ ଓ ଝରକା ବନ୍ଦ କରି ରହୁଛନ୍ତି। ଏନେଇ ବାରମ୍ବାର ଏନ୍ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ହେଁ କେହି ଶୁଣୁ ନାହାଁନ୍ତି । ବିଶେଷ କରି ସଞ୍ଜ ନଇଁଲେ ମଶାଙ୍କ ଦାଉ ବୃଦ୍ଧି ପାଉଛି । ଏଭଳି ଭାବେ ମଶାଙ୍କ ସଂଖ୍ୟା ବଢ଼ିଯାଇଛି ଯେ କେଉଁ ସ୍ଥାନରେ ଠିଆ କରାଇ ଦେଉନାହାନ୍ତି। ଏନ୍ଏସି ପକ୍ଷରୁ ମଶାମରା ଧୂଆଁ ସ୍ପ୍ରେ ହେବାର ବ୍ଯବସ୍ଥା ରହିଥିଲେ ହେଁ ତାହା କରାଯାଉନାହିଁ । ପ୍ରଶାସନର ଉଦାସୀନତା ଯୋଗୁଁ ସହରବାସୀ ଦୁର୍ଦ୍ଦଶା ଭୋଗୁଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସହରରେ ମଶାଙ୍କ ଦାଉରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ନିଦାବିଷ୍ଣୁ ସାଜିଛି ସ୍ଥାନୀୟ ଏନ୍ଏସି ପ୍ରଶାସନ । ବିଶେଷ ଭାବେ ସହର ଭିତରେ ପ୍ରବାହିତ ହୋଇଥିବା ନାଳ, ନର୍ଦ୍ଦମା, ଖାଲରେ ପାଣି ଜମି ରହିବା ଦ୍ଵାରା ମଶାଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାଫଳରେ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନ୍ଏସି ପକ୍ଷରୁ ତୁରନ୍ତ ସହରର ସମସ୍ତ ଅଞ୍ଚଳରେ ନାଳ ନର୍ଦମା ସଫା କରିବା ସହ ମଶାମରା ଧୂଆଁ ସ୍ପ୍ରେ କରିବାକୁ ସହରବାସୀ ଦାବି କରୁଛନ୍ତି ।

