ଖୋରଧା,୨୪।୭(କେଦାର ନାଥ ସାହୁ):ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଅଛି l ପ୍ରତ୍ୟୁଷରୁ ମହା ପ୍ରଭୁଙ୍କ ମାଉସୀ ମା ‘ ଘର ଯାଗେଶ୍ୱରୀ ମନ୍ଦିର ରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ସେବାୟତ ମାନେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ସେବା ସମ୍ପନ୍ନ କରିଥିଲେ l ଅପରାହ୍ନ ୨ ରୁ ୪ ଘଟିକା ସମୟରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପହଣ୍ଡି ବିଜେ ହୋଇଥିଲା l ମହାପ୍ରଭୁଙ୍କ ଛେରା ପହଁରା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ନିର୍ବାହ କରିଥିଲେ l ହରିବୋଲ ହୁଳହୁଳି, ମୃଦଙ୍ଗ, ଘଣ୍ଟ ଘଣ୍ଟା ନାଦରେ ପରିବେଶ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପୂର୍ଣ୍ଣ ହୋଇଥିଲା l ପାଗ ଅନୁକୂଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଏହି ବାହୁଡ଼ା ଯାତ୍ରାରେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ l ପୋଲିସ୍ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ଥିଲେ l ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ବାହୁଡ଼ା ଯାତ୍ରା ପାରମ୍ପରିକ ନୀତି ରୀତିରେ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା l ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା , ଅଗ୍ନିଶମ ,ସୂଚନା କେନ୍ଦ୍ର , ପାନୀୟ ଜଳ ଯୋଗାଣ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ପରିଚାଳନାରେ ଭ୍ରାମ୍ୟମାଣ ସୂଚନା କେନ୍ଦ୍ରରେ ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ , ଓଡ଼ିଶା ରିଭ୍ୟୁ ବିକ୍ରୟ କରାଯିବା ସହ ରାଜ୍ୟ ସରକାରଙ୍କ ଅଗ୍ରଣୀ ଯୋଜନା ସମ୍ବନ୍ଧୀୟ ସୂଚନା ତଥା ଅଗ୍ରଣୀ ଯୋଜନାର ହିତାଧିକାରୀ ମାନଙ୍କ ସଫଳ କାହାଣୀ ପୁସ୍ତିକା ‘ପ୍ରଗତି ପ୍ରବାହ ‘ବଣ୍ଟନ କରାଯାଇଥିଲା l ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ଯାଗୁଳି ପାଟଣା ମନ୍ଦିର ପରିଚାଳନା କମିଟି ସମସ୍ତ ସଭ୍ୟ ବୃନ୍ଦ ,ସେବାୟତ ବୃନ୍ଦ ଙ୍କ ଦ୍ଵାରା ମହାପ୍ରଭୁଙ୍କ ରୀତିନୀତି କାର୍ଯ୍ୟ ସମ୍ପାଦିତ ହୋଇଥିଲା l ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ଖୋରଧା ସହରର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ , ପଞ୍ଚାୟତିରାଜ ଜନ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l

