ବ୍ରହ୍ମପୁର,୧୦।୧୦(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଶିହଳା ପଞ୍ଚାୟତ ଅନ୍ତର୍ଗତ ଟାମଣାସ୍ଥିତ ମା’ ମହୁରୀ ଗଡ଼ କାଳୁଆଙ୍କ ପୀଠରେ ଷୋହଳ ଦିନାତ୍ମକ ଷୋଡ଼ଶ ଉପଚାର ପୂଜା ଜାରି ରହିଛି। ଏହି ଅବସରରେ ଆଜି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିଧାୟକ ପୀଠ ପରିସର ବୁଲି ଦେଖିବା ସହ ଆୟୋଜକ କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ପୀଠର ଉନ୍ନତିକରଣ ଓ ଆବଶ୍ୟକୀୟ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଅନ୍ୟପକ୍ଷରେ, ଆଜି ପୀଠ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମର ବହୁ ଲୋକ ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଇଥିଲେ।ଏଥିସହ ପୀଠକୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଧାର୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ସହ ସାମାଜିକ ସେବା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର,ସିହଳା ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ, ନଳିନୀକାନ୍ତ ବିଷୋୟୀ,ନିରଞ୍ଜନ ରେଡ୍ଡୀ,କୈଳାସ ବିଷୋୟୀ, କର୍ପୋରେଟର ସୁରେନ୍ଦ୍ର ମହାରଣା, ନୀଳକଣ୍ଠ ସାହୁ,ପ୍ରଶାନ୍ତ ପଟ୍ଟନାୟକ,ସାମ୍ବାଦିକ ରୁପେଶ ପଣ୍ଡା, ଅସିତ ପଣ୍ଡା, ଶଙ୍କର ଗୌଡ଼ଙ୍କ ସମେତ କମିଟି ସଭାପତି ରଞ୍ଜନ କୁମାର ପାତ୍ର,ସେକ୍ରେଟାରୀ,ଦିଲୀପ ସାହୁ ଉପଦେଷ୍ଟା ସୁଶାନ୍ତ ସାବତ ଓ ଅନ୍ୟ ସଦସ୍ୟ ସହ ବହୁ ଗ୍ରାମ ବାସୀ, ମନ୍ଦିର ପୂଜକ ଓ ସେବକ ଉପସ୍ଥିତ ଥିଲେ।

