ହିଞ୍ଜିଳିକାଟୁ,୧୩।୧୦(କୃଷ୍ଣ ଚନ୍ଦ୍ର ବେହେର): ଯାତ୍ରୀବାହୀ ବସ୍ରେ ଗଞ୍ଜେଇ ଚାଲାଣ ଅଭିଯୋଗ। ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପୁଲିସର ଚଢ଼ାଉ ବେଳେ ଦୁଇଟି ଏୟାର ବ୍ୟାଗ୍ରୁ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ତିନି ଜଣ ଯାତ୍ରୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଥିବା ବେଳେ ସଂପୃକ୍ତ ବସ୍ଟିକୁ ମଧ୍ୟ ଅଟକ ରଖାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, ଓଆର୍୦୭ଏସ୍ ୭୯୭୯ ନମ୍ବର ବିଶିଷ୍ଟ ଏକ ଘରୋଇ ଯାତ୍ରୀବାହୀ ବସ୍ ସୋରଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପୁଲିସ ଟିମ୍ ବସ୍ରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଦୁଇଟି ଏୟାର ବ୍ୟାଗ୍ରୁ ଗଞ୍ଜେଇ ମିଳିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ତିନି ଜଣ ଯାତ୍ରୀଙ୍କୁ ଅଟକ ରଖି ଗଞ୍ଜେଇ ଚାଲାଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଂପୃକ୍ତ ବସ୍ଟିକୁ ମଧ୍ୟ ଅଟକ ରଖାଯାଇଛି। ଏହି ଚଢ଼ାଉରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ଏସ୍ଆଇ ରଶ୍ମିରଞ୍ଜନ ସାମଲ, ସ୍ୱାଧୀନ ଦାଶ ଓ ଏସ୍ଆଇ ଧରିତ୍ରୀ ବିଶ୍ୱାଳଙ୍କ ସମେତ ପୁଲିସ ଟିମ୍ ସାମିଲ ଥିଲେ। ତେବେ ଜବତ ଗଞ୍ଜେଇର ପରିମାଣ, ଏହା କେଉଁଠାରୁ ଅଣାଯାଉଥିଲା ଏବଂ ଏହି ଚାଲାଣରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

