ଖଜୁରୀପଡ଼ା:ଜନବାଣୀ,୨୧/୬(ମନୋଜ କୁମାର ବେହେରା): ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ପକ୍ଷରୁ କଲ୍ୟାଣୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗର ଲୋକଙ୍କ ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ସଫଳ କରିଥିଲା। କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ତାପରେ ଅତିଥି ଶ୍ରୀମତୀ ଦିଗାଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ନିଜ ନିଜ ଅଭିଭାଷଣରେ ଯୋଗର ଗୁରୁତ୍ୱ ସମ୍ପର୍କରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ମନ ଓ ଶରୀର ମଧ୍ୟରେ ସମନ୍ୱୟ ସ୍ଥାପନ କରି ମଣିଷକୁ ସୁସ୍ଥ, ନିରୋଗ ଓ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବାର ପ୍ରେରଣା ଦେଇଥାଏ। ଏହି ଅବସରରେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ, ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ରଙ୍କନିଧି ବେହେରା ବିଭିନ୍ନ ଜନପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନ ବାଡି,ଆଶା କର୍ମୀ,ସମାଜସେବୀ, ଛାତ୍ରଛାତ୍ରୀ, ସାମ୍ବାଦିକ ଓ ସାଧାରଣ ଜନସାଧାରଣ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯୋଗ ଦିବସ ଅବସରରେ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ବାର୍ତ୍ତାକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ଜୀବନଶୈଳୀ ପ୍ରତି ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲା। ସେହିପରି ଖଜୁରୀପଡ଼ା ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଜନସାଧାରଣ ଯଥା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡ଼ା, ରଣପାଟୁଳୀ ଏସ ଏସ ଡି ବିଦ୍ୟାଳୟ, ଦଳପଡା ଆର୍ ଏସ ଏସ ଶାଖା ପକ୍ଷରୁ ଝାମ୍ପି ଖେଳପଡିଆ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା ।

