ଭଞ୍ଜନଗର,୨୦/୫,(ନିଲୁ ବିଷୋୟୀ):ଜନ୍ମ ଦିନ ହେଉଛି ନିଜକୁ ନିଆରା ଅନୁଭବ କରିବାର ଅବସର। ଅନେକ ଏହି ଦିନ ସାଙ୍ଗ ସାଥୀ ସହ ମଜା ମଜଲିସରେ ମନାଉଥିବା ବେଳେ କିଛି ବ୍ୟକ୍ତି ସମାଜସେବା ତଥା ଅନ୍ୟ ମାନଙ୍କୁ ଏହି ଦିନଟି ଉତ୍ସର୍ଗ କରି ପାଳନ କରନ୍ତି। ଆଉ ସମାଜ ପାଇଁ ପ୍ରେରଣାର ଉତ୍ସ ଭାବେ ନିଜର ଉଦାହରଣ ସୃଷ୍ଟି କରୁଛନ୍ତି। ଏଭଳି ଅସହାୟ,ମାନସିକ ବିକୃତ,ଗରୀବଙ୍କୁ ପ୍ରତି ମୁହୂର୍ତ୍ତରେ ସହାୟତାର ହାତ ବଢାଉଥିବା ବ୍ୟକ୍ତି ହେଉଛନ୍ତି ଭଞ୍ଜନଗର ବ୍ଳକ ଗୋାଲାପଡା ପଞ୍ଚାୟତ ନାରାୟଣପାଟଣା ଗ୍ରାମର ଅରକ୍ଷିତ ପରିଛା। ଚାଷୀ ପରିବାରରେ ଜନ୍ମ ହୋଇ ପିଲାଟି ଦିନରୁ ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ କରିଛନ୍ତି। ଚଳିତ ବର୍ଷ ତାଙ୍କର ୨୮ ତମ ଜନ୍ମ ଦିନ ଅବସରରେ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ୍ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ସହ ତନରଡା ସତ୍ୟଶ୍ରୀ ଜରାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ଗହଣରେ ନିଜ ଜନ୍ମ ଦିନ ପାଳନ କରିଛନ୍ତି। ଯେଉଁ ମାନେ ନିଜର ବୋଲି କେହି ନାହିଁ ଅନୁଭବ କରନ୍ତି ସେଭଳି ବୃଦ୍ଧବୃଦ୍ଧାଙ୍କ ଗହଣରେ ନିଜର ଜନ୍ମଦିନରେ ଅତିବାହିତ କରି ନିଜକୁ ଧନ୍ୟ ମଣିଥିବା କହିଛନ୍ତି ସେ। ସେମମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବା ସହ ବସ୍ତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଆଉ ଟିକେ ନିଆରା କରିବା ପାଇଁ ଅପରାହ୍ନରେ ରକ୍ତଦାନ ମଧ୍ୟ କରିଛନ୍ତି। ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ସେବା କରିବା ଦିଗରେ ଆକୃଷ୍ଟ କରିବ ବୋଲି ସେ ଆଶାବାଦୀ ଅଛନ୍ତି। ସେ ଜଣେ ବିଦ୍ୟୁତ ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ଅନୁଷ୍ଠାନର ଜଣେ ପ୍ରମୁଖ କର୍ମକର୍ତ୍ତା ଭାବେ ରକ୍ତ ଆବଶ୍ୟକ କରୁଥିବା ଲୋକ ପାଇଁ ରକ୍ତ ଯୋଗାଡ କରିବା ଠାରୁ ଆରମ୍ଭ କରି ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ଅର୍ଥ ସଂଗ୍ରହ କରି ଉଚ୍ଚ ଶିକ୍ଷା ପାଇଁ ସହାୟତା କରିବା,ରାସ୍ତା କଡରେ ଅସହାୟ ଓ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କୁ ଖାଦ୍ୟ,ପୋଷାକ ଦେବା ସହ ଦରଦୀ ବନ୍ଧୁଟିଏ ସାଜି ସେବା କରି ବେଶ ପ୍ରଶସଂନୀୟ ହୋଇଛନ୍ତି। ପ୍ରତିବର୍ଷ ନିଜର ଜନ୍ମଦିନକୁ ଚିର ସ୍ମରିଣୀୟ କରିବାକୁ ସେ କିଛି ନା କିଛି ନିଆରା ପ୍ରୟାସ କରିଥାନ୍ତି।

