ବ୍ରହ୍ମପୁର,୩୦/୦୫,(ହିମାଂଶୁ ଶେଖର ସାବତ):ନିଶା ନିବାରଣ ଆଇନ, ୧୯୫୬କୁ ଲାଗୁ କରିବାରେ ରାଜ୍ୟ ସରକାର ବିଫଳ ହେବା ପରଠୁଁ ମଦ, ସିଗାରେଟ, ଖଇନି ତଥା ସମସ୍ତ ପ୍ରକାର ନିଶା ଦ୍ରବ୍ୟର ପ୍ରଚାର ପ୍ରସାରରେ ନିଜେ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଲାଗିପଡ଼ିବା ଏକ ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିର୍ଲଜ ବ୍ୟବସ୍ଥା ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବି ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି l ସମଗ୍ର ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାରେ ଏକ ତରଫା ଭାବେ ନିଶା କାରବାର ବୃଦ୍ଧି ପାଇ ମୁଖ୍ୟତଃ ଛାତ୍ର ଓ ଯୁବ ଗୋଷ୍ଠୀ ଏହାର ଶିକାର ହେଉଥିବାବେଳେ ହତ୍ୟା, ଗଣ ଦୁଷ୍କର୍ମ, ଭିଡ ହିଂସା, ଆଦି ଜଘନ୍ୟ ଅପରାଧ ପ୍ରବଳ ମାତ୍ରାରେ ବୃଦ୍ଧି ପାଉଛି l ଏହାକୁ ନିୟନ୍ତ୍ରଣ କରି ଅପରାଧର ସାମ୍ରାଜ୍ୟକୁ ରୋକିବା ପାଇଁ ମଦ ମାଦକ ଦ୍ରବ୍ୟ ର ପ୍ରସାରକୁ ବନ୍ଦ କରିବା ଆବଶ୍ୟକ ବେଳେ ରାଜ୍ୟ ସରକାର ରାଜସ୍ବ ସଂଗ୍ରହ ନାଁ ରେ ଅବାଧ ଭାବେ ଏହାର ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି l ଇତି ମଧ୍ୟରେ ମଦ କୁ ସରକାରୀ, ବେସରକାରୀ ତଥା ସ୍ଵୀକୃତି ପ୍ରାପ୍ତ ଓ ବେଆଇନ ଭାବେ ମଧ୍ୟ ଭାଗ ଭାଗ କରିସାରିଛନ୍ତି l ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ଆବଣ୍ଟନ ପାଇଁ ଗଞ୍ଜାମ ଜିଲ୍ଲାପାଳ ଆଖିରେ କଳାପଟି ବାନ୍ଧି ଲଟେରୀ ଉଠାଇବା ପ୍ରସଙ୍ଗ ସଭ୍ୟ ସମାଜ ପାଇଁ ଏକ ଅତ୍ୟନ୍ତ ସଙ୍କଟାପନ୍ନ ପରମ୍ପରା ଦର୍ଶାଉଛି ଏଵଂ ଏହା ସମଗ୍ର ରାଜ୍ୟରେ ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଧେଶ ଅନୁଯାୟୀ ପରିଚାଳନା ହେଉଛି l ଏହି ସମ୍ପୂର୍ଣ ଟେଣ୍ଡର ପ୍ରକ୍ରିୟାକୁ ତ୍ବରାନ୍ବିତ ପାଇଁ ଜିଲ୍ଲାପାଳ ମାନଙ୍କ ସହ ଅନ୍ୟ ଉଚ୍ଚପଦସ୍ଥ ପ୍ରଶାସନିକ ଓ ଅବକାରୀ ଅଧିକାରୀ ମାନଙ୍କୁ ଅତ୍ୟନ୍ତ ସମ୍ବେଦନହୀନ ଭାବେ ପ୍ରୟୋଗ କରାଯାଇଛି l ସମାଜର ବହୁଳ କ୍ଷତି କରୁଥିବା, ଛାତ୍ର ଯୁବ ସମାଜକୁ ବିପଦଗାମୀ କରୁଥିବା, ମହିଳା ଙ୍କ ଉପରେ ହିଂସା, ନିର୍ଯାତନା ବଢ଼ାଉଥିବା,ଲୋକଙ୍କ ଆର୍ଥିକ ସଙ୍କଟ ବଢିବା ସହ ସେମାନଙ୍କ ଧନ ଜୀବନକୁ ବିପଦରେ ପକାଉଥିବା ମଦ ମାଦକ ଦ୍ରବ୍ୟକୁ ବେଆଇନ ବା ନିଷିଦ୍ଧ ଘୋଷଣା ଆବଶ୍ୟକ ବେଳେ ସରକାର ଏଭଳି ଘୃଣ୍ୟ ଜନ ବିରୋଧୀ ପଦକ୍ଷେପ ନେବାକୁ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ନିନ୍ଦା କରିଛି l

