ରାୟଗଡ଼,୨୧।୭(ଅମୂଲ୍ୟ ନିଶଙ୍କ):ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନାମରେ ଦେଶବ୍ୟାପୀ ସଂଗୃହୀତ ଚାନ୍ଦାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି। ଜିଲ୍ଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କେନ୍ଦ୍ର ସରକାର ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପରେ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ପକ୍ଷରୁ “ଆସ୍ଥା ନାମରେ ରାଜନୀତି, ଭେଟି ନାମରେ ଲୁଟ୍” ଶୀର୍ଷକ ଏକ ପ୍ରେସ୍ ବାର୍ତ୍ତା ଜାରି କରାଯିବା ସହ ଶାସକ ଦଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଧାୟକ ଶ୍ରୀ କାଡ୍ରାକା ଅଭିଯୋଗ କରିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରାୟ ୧୪୦୦ କୋଟି ଟଙ୍କାର ଅର୍ଥ ଆତ୍ମସାତ୍ କରାଯାଇଛି। ଏହି ବିପୁଳ ଅର୍ଥ ଲୁଟ୍ ପଛରେ ଟ୍ରଷ୍ଟର ଚେୟାରପର୍ସନ ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କ ଭଳି ବ୍ୟକ୍ତିବିଶେଷଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଶାସକ ଦଳ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାମ ଧରି ଓ ଲୋକଙ୍କ ଧାର୍ମିକ ଭାବନାକୁ ପୁଞ୍ଜି କରି କ୍ଷମତାକୁ ଆସିଛନ୍ତି। ମାତ୍ର ପ୍ରଭୁଙ୍କ ପବିତ୍ର ମନ୍ଦିର ପାଣ୍ଠିରୁ ହିଁ ଏତେ ବଡ଼ ଧରଣର ଲୁଟ୍ ହେବା ଅତ୍ୟନ୍ତ ନିନ୍ଦନୀୟ ବିଷୟ ଅଟେ। ଏହା ପଛରେ ସରକାରୀ ସ୍ତରରେ ଥିବା କିଛି ବଡ଼ବଡ଼ିଆ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ଏହି ଘଟଣାକୁ ଲୁଚାଇଦେବାକୁ ବା ଚାପିଦେବାକୁ ପ୍ରୟାସ କରାଯାଉଛି ବୋଲି ସେ ମତ ରଖିଛନ୍ତି। ଏହା ସହିତ ଦେଶର ସୁରକ୍ଷା ଓ ଭବିଷ୍ୟତ ନେଇ ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଗୋଟିଏ ପବିତ୍ର ମନ୍ଦିରର ପାଣ୍ଠି ଲୁଟିପାରୁଛନ୍ତି, ସେମାନେ ଆଗକୁ ନିଜ ସ୍ୱାର୍ଥ ପାଇଁ ଦେଶକୁ ଲୁଟିବାକୁ ମଧ୍ୟ ପଛାଇବେ ନାହିଁ। ଏହି ଘଟଣାର ସତ୍ୟତା ସାଧାରଣ ଜନତା ଏବଂ ଗଣମାଧ୍ୟମ ସାମ୍ନାକୁ ଆସିବା ନିହାତି ଜରୁରୀ। ତେଣୁ ଯେଉଁମାନେ ଏହି ମନ୍ଦିର ଚାନ୍ଦା ଲୁଟିଛନ୍ତି ସେମାନଙ୍କର ମୁଖା ଖୋଲିବା ସହ ତୁରନ୍ତ ସେମାନଙ୍କୁ ଲୋକଲୋଚନକୁ ଆଣି ଆଇନ ଅନୁସାରେ କଠୋରରୁ କଠୋର ଦଣ୍ଡ ପ୍ରଦାନ କରିବାକୁ ବିଧାୟକ ଶ୍ରୀ କାଡ୍ରାକା ଦୃଢ଼ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ଅନ୍ୟ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

