ବୁଗୁଡ଼ା,୨୨/୪:(ଜନବାଣୀ ବ୍ୟୁରୋ):ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ୧୨ ମାସ ଆକୃଷ୍ଟ କରୁଥିବା ବୁଦ୍ଧଖୋଲ ଶୈବ ପୀଠର ଝରଣା ଚଳିତ ବର୍ଷ ଶୁଖିଯାଇଛି। ଫଳରେ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଏଠାରେ ଥିବା ଜଳ ପ୍ରପାତ ସାଙ୍ଗକୁ କୁଳୁ କୁଳୁ ନାଦରେ ବହୁଥିବା ଝରଣା ଓ ପାଦ ଦେଶରେ ଥିବା ସୁଇମିଂ ପୁଲ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବର୍ଷ ସାରା ୨୪ ଘଣ୍ଟା ଝରଣା ପ୍ରବଳ ବେଗରେ ବହିବା ସାଙ୍ଗକୁ ପ୍ରପାତରୁ ଅନବରତ ପାଣି ପଡ଼ିଥାଏ। ଆଉ ଗ୍ରୀଷ୍ମରେ ପର୍ଯ୍ୟଟକ ଓ ସ୍ଥାନୀୟବାସିନ୍ଦା ଗାଧୋଇବା ମଜା ଉଠାଇବାକୁ ଜଳପ୍ରପାତ ନିକଟରେ ଭିଡ଼ ଜମାଇଥା’ନ୍ତି। ସେହିପରି ପହଁରା ଶିଖିବା ଓ ଗାଧୋଇବାକୁ ମଧ୍ୟ ସୁଇମିଂପୁଲକୁ ବହୁ ସଂଖ୍ୟାରେ ଲୋକ ଆସିଥା’ନ୍ତି।ତେବେ ବର୍ତ୍ତମାନ ଝରଣାରେ ପୂର୍ବ ଭଳି ପାଣି ଆସୁନି। ଜଳପ୍ରପାତରୁ ଗୋଟିଏ ଧାର ପାଣି ପଡ଼ୁଛି। ଅନ୍ୟପଟେ ସୁଇମିଂପୁଲରେ ପାଣି ଲିକ୍ ହେଉଥିବାରୁ ଏହାର ପୁନରୁଦ୍ଧାର କାମ ଚାଲିଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଗାଧୋଇବାକୁ ଆସୁ ନାହାନ୍ତି। ଫଳରେ ବର୍ତ୍ତମାନ ବୁଦ୍ଧ ଖୋଲକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ସେ ପଟେ ପର୍ଯ୍ୟଟକ ଆସୁ ନଥିବାରୁ ବେପାରୀ ବି କ୍ଷତି ସହୁଛନ୍ତି।ଅନ୍ୟପକ୍ଷରେ ବୁଦ୍ଧଖୋଲ ପାଦ ଦେଶରେ ନିର୍ମାଣ ହୋଇଥିବା ଗେଷ୍ଟ ହାଉସ, ବଣ ଭୋଜି, ପର୍ଯ୍ୟଟକଙ୍କ ନିମନ୍ତେ ପାଣିର ବ୍ୟବସ୍ଥା ଓ ଫସଲ ଚାଷ ପାଇଁ କିଛିବର୍ଷ ତଳେ ବୁଦ୍ଧଖୋଲ ମନ୍ଦିର ନିକଟରେ ଝରଣା ପାଣିକୁ ଦୁଇଭାଗ କରାଯାଇଥିଲା। ଗୋଟିଏ ଭାଗ ପାଣିକୁ ପାଇପ୍ ଯୋଗେ ବୁଦ୍ଧଖୋଲ ପାଦଦେଶ ପର୍ଯ୍ୟନ୍ତ ଅଣାଯାଇଥିବାରୁ ପ୍ରପାତ ଦେଇ ଆସୁଥିବା ପାଣି କମିଯାଉଛି। ୩ ବର୍ଷ ହେଲା ବର୍ଷରେ ପ୍ରାୟ ୪ ମାସ ପ୍ରପାତର ଜଳଧାରା କମିଯାଉଛି। ତେବେ ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଅନ୍ୟ କାରଣ ଯୋଗୁଁ ଏତେ ପରିମାଣର ପାଣି କମିବା ପରିବେଶବିତ୍ଙ୍କୁ ବ୍ୟଥିତ କରିଛି।

