ଖଜୁରୀପଡା,୪।୧୧(ମନୋଜ କୁମାର ବେହେରା):-ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ‘ମୁରାସୁର’ର ପ୍ରଭାବକୁ ଦୃଷ୍ଟିରେ ରଖି ଖଜୁରୀପଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ା, ଗାଡ଼ିଆପଡ଼ା ଏବଂ ଦୂତିମେଣ୍ଡୀ ଅଞ୍ଚଳର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରାଯାଇ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ଆଲୋଚନା କରାଯାଇଥିଲା।ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା କିପରି ସଠିକ୍ ଭାବେ ଯୋଗାଇ ଦିଆଯିବ, ସେନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।ଏଥିସହ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ଜରୁରୀକାଳୀନ ସେବା, ରିଲିଫ୍ ବ୍ୟବସ୍ଥା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗର ସମୀକ୍ଷା କରାଯାଇଥିଲା। ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ସହ ଆବଶ୍ୟକୀୟ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।ବିପଦ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା, ସୁରକ୍ଷା ଓ ଆବଶ୍ୟକୀୟ ସେବା ଯୋଗାଇଦେବା ପ୍ରଶାସନର ପ୍ରଥମ ପ୍ରାଥମିକତା ବୋଲି ଗୁରୁତ୍ୱାରୋପ କରାଯାଇଥିଲା।ଏହି ଅବସରରେ ଜନସାଧାରଣଙ୍କୁ ବାତ୍ୟା ସମ୍ପର୍କିତ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବା ସହ ପ୍ରଶାସନର ନିର୍ଦ୍ଦେଶ ମାନି ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରାଯାଇଛି।ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

