ଫୁଲବାଣୀ,୧୭/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ ତଥା ସର୍ବପୁରାତନ ଶିକ୍ଷାନୁଷ୍ଠାନ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଫୁଲବାଣୀ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ଗୌରବମୟ ସଫଳତା ହାସଲ କରିଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଜର ଶାଣିତ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଚମତ୍କାର ପ୍ରଦର୍ଶନ କରି ଅନୁଷ୍ଠାନ ପାଇଁ ସୁନାମ ଅର୍ଜନ କରିଛନ୍ତି।ବିଦ୍ୟାଳୟର ମେଧାବୀ ଛାତ୍ରୀ ସୁବିଦିତା ପ୍ରଧାନ ଚଳିତ ପରୀକ୍ଷାରେ ୯୯ ପ୍ରତିଶତ (99%) ମାର୍କ ରଖି ସମଗ୍ର କନ୍ଧମାଳ ଜିଲ୍ଲାର ଟପର୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ଏହି ଅତୁଳନୀୟ ସଫଳତା ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ସେହିଭଳି ବିଦ୍ୟାଳୟର ଅନୁପ୍ରଜ୍ଞା ନାୟକ ୯୭ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ସୁଭାଙ୍ଗି ବିଷୋୟୀ ୯୬.୬ ପ୍ରତିଶତ ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ସୁବିଦିତାଙ୍କ ବ୍ୟତୀତ ବିଦ୍ୟାଳୟର ୧୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ହାସଲ କରି ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବେଳେ ୧୨୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ସଫଳତା ଧାରାକୁ ବଜାୟ ରଖିଛନ୍ତି।ଛାତ୍ରଛାତ୍ରୀଙ୍କ ଏହି ଭବ୍ୟ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଧନଞ୍ଜୟ ସେଠୀ ଏବଂ ସମ୍ପାଦକ ବିପ୍ର ଚରଣ ପାତ୍ର ସମସ୍ତ କୃତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଠିକ୍ ମାର୍ଗଦର୍ଶନ ଓ ପିଲାମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆଜି ପବ୍ଲିକ ସ୍କୁଲ୍ ସମଗ୍ର ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ନିଜର ପରିଚୟ ସୁଦୃଢ଼ କରିପାରିଛି ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି।ଏହି ସଫଳତା ଫୁଲବାଣୀ ତଥା ସମଗ୍ର ଜିଲ୍ଲାରେ ଏକ ଆନନ୍ଦର ଲହରୀ ଖେଳାଇ ଦେଇଛି।

