ଚିକିଟି,୨୬/୦୭(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲାର ଐତିହାସିକ ଚିକିଟିର ଅଧିଷ୍ଠାତା ଦେବତା ପ୍ରଭୁ ଶ୍ରୀ ଅକ୍ରୁରନାଥ ଶନିବାର ଭକ୍ତମାନଙ୍କୁ ଦିବ୍ୟ ସୁନା ବେଶରେ ଦର୍ଶନ ଦେଇଥିଲେ। ସୁନାର ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ ମହାପ୍ରଭୁଙ୍କ ଅପୂର୍ବ ରୂପ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ମନ୍ଦିରରେ ବିଧିବଦ୍ଧ ନୀତିକାନ୍ତି ସମ୍ପନ୍ନ ହେବା ପରେ ପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୋଇଥିଲା। ସୁନାର ମୁକୁଟ, ହାର ଓ ଅନ୍ୟାନ୍ୟ ଅଳଙ୍କାରରେ ସଜ୍ଜିତ ମହାପ୍ରଭୁଙ୍କ ଦିବ୍ୟ ରୂପ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ମନ୍ଦିର ପରିସର ଭଜନ, କୀର୍ତ୍ତନ ଓ ହରିନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।ଏହି ପବିତ୍ର ଅବସରରେ ଚିକିଟି ରାଜପରିବାରର ରାଜା ଶ୍ରୀ ତ୍ରିଗୁଣାତୀତ ଦେବ ଉପସ୍ଥିତ ରହି ପାରମ୍ପରିକ ରୀତିନୀତି ଅନୁଯାୟୀ ସେବାକାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୋଲିସ, ରେଭେନ୍ୟୁ ଓ ଏନଏସି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଦୂରଦୂରାନ୍ତରୁ ଆସିଥିବା ଅସଂଖ୍ୟ ଭକ୍ତ ପ୍ରଭୁ ଶ୍ରୀ ଅକ୍ରୁରନାଥଙ୍କ ଦିବ୍ୟ ସୁନା ବେଶ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଅଞ୍ଚଳର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।

