ସୋରଡ଼ା,୯/୫,(ସ୍ୱ.ପ୍ର):ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (NALSA) ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ତାଲୁକ ଆଇନ ସେବା ପ୍ରାଧୀକରଣ (TLSC), ସୋରଡା ପକ୍ଷରୁ ଜାତୀୟ ଲୋକ ଅଦାଲତ ସ୍ଥାନୀୟ ନ୍ୟାୟାଳୟ ପ୍ରାଙ୍ଗଣରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ଦେଓାନୀ, ବ୍ୟାଙ୍କ ଋଣ, ଚେକ ବାଉନ୍ସ, ମୋଟର ଦୁର୍ଘଟଣା, ପାରିବାରିକ ବିବାଦ ଏବଂ ପ୍ରି-ଲିଟିଗେସନ ମାମଲା ଆଦିକୁ ଆପୋଷ ସମାଧାନ ମାଧ୍ୟମରେ ନିଷ୍ପତ୍ତି କରାଯାଇଥିଲା। ପକ୍ଷଗତମାନେ ଆପୋଷ ବୁଝାମଣା ମାଧ୍ୟମରେ ଦୀର୍ଘଦିନର ବିବାଦର ସମାଧାନ ପାଇ ସନ୍ତୋଷ ପ୍ରକାଶ କରିଥିଲେ।ଲୋକ ଅଦାଲତ ଦ୍ୱାରା ସାଧାରଣ ଲୋକଙ୍କୁ ସହଜ, ଶୀଘ୍ର ଏବଂ ସ୍ୱଳ୍ପ ଖର୍ଚ୍ଚରେ ନ୍ୟାୟ ପ୍ରଦାନ କରାଯାଉଥିବା ବେଳେ, ନ୍ୟାୟାଳୟରେ ଲମ୍ବିତ ମାମଲା ସଂଖ୍ୟା କମାଇବାରେ ଏହା ବିଶେଷ ସହାୟକ ହେଉଛି। ତାଲୁକ ଆଇନ ସେବା ପ୍ରାଧୀକରଣ ସୋରଡାର ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ଜନ୍ମେଜୟ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସ୍ଥିତପ୍ରଜ୍ଞ ବିଶ୍ୱାଳ, ଆଇନଜୀବୀ, କୋର୍ଟ କର୍ମଚାରୀ ଓ ବିଭିନ୍ନ ପକ୍ଷଗତମାନେ ସହଭାଗୀ ହୋଇଥିଲେ।ଜାତୀୟ ଲୋକ ଅଦାଲତ ଦେଶର ବିଭିନ୍ନ ରାଜ୍ୟରେ ନିୟମିତ ଭାବରେ ଆୟୋଜିତ ହୋଇ ଦ୍ରୁତ ଓ ସମ୍ମତିମୂଳକ ନ୍ୟାୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରୁଛି।

