ବୁଗୁଡ଼ା,୬/୫(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସର ପାଲଟିଛି ମୁକ୍ତାକାଶ ପରିସ୍ରାଗାର । ମେଡିକାଲ ପାଚେରିଟି ଭାଙ୍ଗି ଦିଆଯିବା ଫଳରେ ଲୋକେ ବିନାଦ୍ଵିଧାରେ ସ୍ଵାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ କାନ୍ଥରେ ପ୍ରତିଦିନ ପରିସ୍ରା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖସ୍ଥ ରାସ୍ତାକଡ଼ରେ କିଛି ଅଟୋ ଧାଡ଼ିବାନ୍ଧି ରହୁଥିବାରୁ ସେଗୁଡ଼ିକର ପଛପଟେ କାର୍ଯ୍ୟାଳୟ କାନ୍ଥରେ ପରିସ୍ରା କରିବା ପାଇଁ ଲୋକଙ୍କୁ ସୁବିଧା ହେଉଛି । ଆଖପାଖରେ ଶୌଚାଳୟ ନଥିବାରୁ ଲୋକଙ୍କୁ ଯେତେ ବାରଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସ୍ଵାସ୍ଥ୍ୟକେନ୍ଦ୍ର ନିକଟରେ ଲୋକେ ପରିସ୍ରା କରିବା ଫଳରେ ସ୍ଵାସ୍ଥ୍ୟକେନ୍ଦ୍ର ପରିସର ଦୁର୍ଗନ୍ଧରେ ଫାଟି ପଡୁଛି ଏବଂ କର୍ମଚାରୀମାନେ ମେଡିକାଲ ଝରକା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ମେଡିକାଲ ପାଚେରି ନଥିବାରୁ ଗାଈଗୋରୁ ଆଦି ଅବାଧରେ ପ୍ରବେଶ କରିବା ଫଳରେ ପ୍ରଦୂଷଣମୟ ପରିବେଶ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିର ପ୍ରତିକାର ବ୍ୟବସ୍ଥା ସ୍ଵରୂପ ପୂର୍ବରୁ ଥିବା ପାଚେରିର ପୁନର୍ବାର ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସ୍ଵାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଉଦ୍ୟମ କରିବା ବିଧେୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

