ଭଞ୍ଜନଗର,୨୫/୦୫,(ନିଲୁ ବିଷୋୟୀ):ଆଧୁନିକ ବୈଷୟିକ ଜ୍ଞାନର ସହାୟତାରେ ପୁଲିସ ହଜିଯାଇଥିବା ୩୫ଟି ମୋବାଇଲ୍କୁ ଠାବ କରିବାରେ ସଫଳ ହୋଇଛି। ସୋମବାର ଭଞ୍ଜନଗର ଥାନାରେ ସ୍ବତନ୍ତ୍ର ମୋବାଇଲ ଫେରସ୍ତ ମେଳା ଆୟୋଜିତ ହୋଇଥିବା ବେଳେ ଉଦ୍ଧାର ହୋଇଥିବା ୩୫ ଗୋଟି ମୋବାଇଲ୍ ପୁଲିସ୍ ପ୍ରକୃତ ମାଲିକଙ୍କୁ ସେମାନଙ୍କ ମୋବାଇଲ୍ ଫେରାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେଙ୍କ ପୌରହିତ୍ୟରେ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି। ମାଲିକ ମାନଙ୍କ ପରିଚୟପତ୍ର ଯାଞ୍ଚ କରି ସେମାନଙ୍କୁ ମୋବାଇଲ୍ ଫେରାଯାଇଥିଲା। ଭଞ୍ଜନଗର ଥାନା ଅଧୀନ ଜିଲୁଣ୍ଡି,ବଦାଙ୍ଗି, ଗୋଲାପଡ଼ା, ଗାଲେରୀ, ଲଣ୍ଡେଇସାହି, ବୁଗୁଡ଼ା,ଗାଙ୍ଗପୁର,ବେଲଗୁଣ୍ଠା,ବାଉଁଶଲୁଣ୍ଡି,ଏଭଳିକି ବ୍ରହ୍ମପୁର ଭଳି ବିଭିନ୍ନ ଅଞ୍ଚଳର ଲୋକଙ୍କ ମୋବାଇଲ୍ ପାର୍କ, ବିଭିନ୍ନ ବସ୍ ଭୋଜି କାର୍ଯ୍ୟ ଓ ବଜାରରୁ ହଜିଥିବା ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ମୋବାଇଲ୍ ହଜିଥିବା ନେଇ ଅଭିଯୋଗ ପରେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ୍ ମାଧ୍ୟମରେ ହଜିଯାଇଥିବା ମୋବାଇଲ୍ କିଏ କେଉଁଠି ଓ କେଉଁ ସିମ୍ ପକାଇ ବ୍ୟବହାର କରୁଛି ତାର ସମସ୍ତ ସୂଚନା ପାଇବା ପରେ ସଂପୃକ୍ତ ଲୋକେସନ୍ ଆଧାରରେ ଲୋକଙ୍କ ନିକଟରେ ପହଞ୍ଚି ହଜିଥିବା ମୋବାଇଲ୍କୁ ଉଦ୍ଧାର କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠିତ ହୋଇଥିବା ସହ ବୈଷୟିକ ଟିମ୍ର ମଧ୍ୟ ସହାୟତା ନିଆଯାଇଥିଲା। ତେଣୁ ଅଜଣା ମୋବାଇଲ ଯଦି କେହିପାଆନ୍ତି ତା’ହେଲେ ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାନ୍ତୁ ନଚେତ୍ ନିକଟସ୍ଥ ଥାନା ସହ ଯୋଗଯୋଗ କରିବାକୁ ଥାନାଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଲକ୍ଷ୍ମୀଧର ମହାନ୍ତି ଏଏସ୍ଆଇ ଶରତ ଚନ୍ଦ୍ର ପଣ୍ଡା,ବିଦେଶୀ ବେହେରାଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ନିଜର ହଜିଥିବ ମୋବାଇଲ ପୁଣି ପାଇବା ପରେ ଲୋକ ମାନେ ନିଜର ଖୁସୀ ପ୍ରକଟ କରିବା ସହ ପୁଲିସକୁ ସାଧୁବାଦ୍ ଜଣାଇଛନ୍ତି। ଏଥିପୂର୍ବରୁ ମଧ୍ୟ ଭଞ୍ଜନଗର ପୁଲିସ ୧୧୫ ଜଣଙ୍କୁ ମୋବାଇଲ ଫେରାଇଥିବା ବେଳେ ଆଜି ସୁଦ୍ଧା ୧୫୦ ଜଣ ବ୍ୟକ୍ତି ସେମାନଙ୍କ ହଜିଥିବା ମୋବାଇଲ ଫେରି ପାଇଥିବା ଜଣାପଡିଛି।

