ଫୁଲବାଣୀ,୨୫।୦୯(ସୁନୀଲ ପଟ୍ଟନାୟକ):ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀରେ ନୂତନ ଭାବେ ନାମ ଲେଖାଇଥିବା ସ୍ନାତକ ପ୍ରଥମ ବର୍ଷ ଓ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ଦୁଇଦିନିଆ ଛାତ୍ର ଅଭିମୁଖୀକରଣ (Induction Programme) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୁରଲୀଧର ସେଠୀ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ସ୍ୱାଗତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଶିକ୍ଷାଜୀବନର ଶୁଭକାମନା ଜଣାଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟ (HOD) ଏବଂ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ନିୟମାବଳୀ ଓ ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ‘ଜ୍ଞାନୋଦୟ’ ଯୋଜନା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏଥିସହିତ ମହାବିଦ୍ୟାଳୟରେ ନିୟମିତ ଶିକ୍ଷାଗ୍ରହଣର ଗୁରୁତ୍ୱ ଏବଂ ପରୀକ୍ଷା ପାଇଁ ନ୍ୟୂନତମ ୭୫ ପ୍ରତିଶତ ଶ୍ରେଣୀ ଉପସ୍ଥାନର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚିତ କରାଯାଇଥିଲା।ନବାଗତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଆଣ୍ଟି-ରାଗିଂ ସେଲ୍, ଇଣ୍ଟରନାଲ କମିଟି, ଆଣ୍ଟି-ଡ୍ରଗ୍ ଓ ଆଣ୍ଟି-ନାର୍କୋଟିକ୍ସ ସେଲ୍, ଇଣ୍ଟରନାଲ ଏନର୍ଜି ମ୍ୟାନେଜମେଣ୍ଟ, ବିଭିନ୍ନ ଛାତ୍ରବୃତ୍ତି ଯୋଜନା, ଛାତ୍ର ଅଭିଯୋଗ ନିବାରଣ କମିଟି ଓ ଛାତ୍ର କଲ୍ୟାଣ କମିଟି ଆଦି ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।ଏହାସହ ମହାବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ଶିକ୍ଷାଗତ, ପ୍ରଶାସନିକ ଓ ଛାତ୍ରକଲ୍ୟାଣମୂଳକ ସୁବିଧାର ସୁଯୋଗ ନେଇ ନିଜର ଶିକ୍ଷାଜୀବନକୁ ସମୃଦ୍ଧ କରିବା ସହ ଏକ ଶୃଙ୍ଖଳିତ, ଦାୟିତ୍ୱବାନ ଓ ସଚେତନ ଛାତ୍ର ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ଦୁଇଦିନିଆ ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମ ନବାଗତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ପରିବେଶ, ଶିକ୍ଷା ପଦ୍ଧତି, ନିୟମାବଳୀ, ଛାତ୍ରକଲ୍ୟାଣ ବ୍ୟବସ୍ଥା ଓ ଉପଲବ୍ଧ ସୁଯୋଗ ସମ୍ପର୍କରେ ସ୍ପଷ୍ଟ ଧାରଣା ପ୍ରଦାନ କରିବା ସହ ସେମାନଙ୍କ ନୂତନ ଶିକ୍ଷାଜୀବନର ଏକ ସୁଚିନ୍ତିତ ଆରମ୍ଭ ପାଇଁ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।

