ଭଞ୍ଜନଗର,୨୫।୯(ନିଲୁ ବିଶୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅଧୀନ ବାଇବାଲି ପଞ୍ଚାୟତର ଉପାନ୍ତ ଗ୍ରାମ ଭାବେ ପରିଚିତ ତଡମା ଗ୍ରାମର ରଞ୍ଜନ ଗୌଡଙ୍କ ପତ୍ନୀ ଆରତୀ ଗୌଡ଼ ଆଜି ନିଜ ଘରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଆରତୀ ଗର୍ଭବତୀ ଥିବା ବେଳେ ତାଙ୍କୁ ଆଶ୍ରୟସ୍ଥଳିକୁ ଆସିବାକୁ କୁହାଯାଇଥିଲା। ତେବେ ଶିଶୁ ଜନ୍ମ ହେବା ପାଇଁ ଡାକ୍ତର ଆହୁରି କିଛି ଦିନପରେ ସମୟ ଦେଇଥିବାରୁ ସେମାନେ ଆସି ନଥିଲେ। ଆଜି ସକାଳ ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ଖବର ଦେଇଥିଲେ। ଏହାପରେ ଗର୍ଭବତୀ ଆରତୀଙ୍କୁ ଉଦ୍ଧାର କରିବା ପାଇଁ ବିଡିଓ ଭାରତୀ ଦେବୀ,ଅନ୍ୟ ବ୍ଲକ ଅଧିକାରୀ,ସିଡ଼ିପିଓ ମିଲୀମା କୁମାରୀ ପଣ୍ଡା,ଆମ୍ବୁଲାନ୍ସ କର୍ମଚାରୀ,ଦମକଳ ବାହିନୀ ପ୍ରମୁଖ ଘଟଣା ସ୍ଥଳ ଆଡ଼କୁ ଯାଇଥିଲେ। ନଦୀ ଆରପଟେ ତଡ଼ମା ଗ୍ରାମ ରହିଥିବା ବେଳେ ଭଞ୍ଜନଗର ଓ ବେଲଗୁଣ୍ଠାର ଦମକଳ ବାହିନୀ ନଦୀରେ ଏକ ରଶି ଆରପଟକୁ ପକାଇ ଏକ ବୋଟ୍ ସାହାଯ୍ୟରେ ଗ୍ରାମକୁ ଯିବା ନେଇ ପ୍ରୟାସ କରି ନିରାଶ ହୋଇଥିଲେ। ନଦୀରେ ବଡ ବଡ ପଥର ଥିବା ସହ ପ୍ରବଳ ବେଗରେ ପାଣି ବୋହି ଆସୁଥିବାରୁ ବୋଟ୍ ଚାଲିବା ଅସମ୍ଭବ ହୋଇଥିଲା। ଶେଷରେ ଦମକଳ ବାହିନୀ ଯିବା ପାଇଁ ଚେଷ୍ଟା କରିବା ସମୟରେ ପାଣିର ପ୍ରଖର ସ୍ରୋତରେ ବୋଟଟି ଓଲଟି ପଡ଼ିଥିଲା। ଫଳରେ ବିପଦ ଆଶଙ୍କା କରି ଉଦ୍ଧାରକାର୍ଯ୍ୟକୁ ବନ୍ଦ କରାଯାଇଥିବା ବେଳେ ନଦୀରେ ଜଳସ୍ତର କମିବା ପରେ ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରାଯାଇ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ବିଡିଓ କହିଛନ୍ତି। ଆରତୀ ଘରେ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଆରତୀଙ୍କ ଭଉଣୀ ଝୁନୁ ଗୌଡ଼ ଜଣେ ଆଶା କର୍ମୀ ରହିଥିବା ବେଳେ ତାଙ୍କ ମାଆ କୁମାରୀ ଗୌଡ଼ ଅଙ୍ଗନବାଡି ସହାୟିକା ଭାବେ କାମ କରୁଛନ୍ତି। ଆରତୀର ମାଆ ଏବଂ ଜଣେ ସମ୍ପର୍କୀୟ ମାଉସୀ ଅବସରପ୍ରାପ୍ତ ନର୍ସ ହୋଇଥିବାରୁ ସେମାନେ ହିଁ ଘରେ ପ୍ରସବ କରାଇଥିଲେ। ଉଭୟ ମାଆ ଓ ଶିଶୁ କନ୍ୟା ସୁସ୍ଥ ରହିଥିବା ସିଡ଼ିପିଓ ଶ୍ରୀମତୀ ପଣ୍ଡା କହିଛନ୍ତି। ଆରତୀ ସହ ସେ ଫୋନ ଯୋଗେ କଥା ହେବା ସହ ପ୍ରସବ ପରବର୍ତ୍ତୀ ଯତ୍ନ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିବା କହିଛନ୍ତି।

