ବୋଲଗଡ଼,୩୦।୯(ସୁଶାନ୍ତ କୁମାର ପ୍ରଧାନ):ଆଶ୍ୱିନ ମାସ କେବଳ ଏକ ମାସ ନୁହେଁ, ଏହା ହେଉଛି ଅନୁଭୂତି, ଏହା ହେଉଛି ଆବେଗ। ବର୍ଷା ଭିଜା ଶ୍ରାବଣ ପରେ ଧରା ଯେବେ ଶରତର ନୂଆ ବସ୍ତ୍ର ପିନ୍ଧେ, ଆକାଶ ଯେବେ ମେଘମୁକ୍ତ ହୋଇ ନୀଳ କାଚ ଭଳି ଚମକେ, ସେତେବେଳେ ପ୍ରତି ଓଡ଼ିଆ ମନ ଆନ୍ଦୋଳିତ ହୋଇ ଉଠେ। କାରଣ ମା’ ଆସୁଛି। ଆମ ଘରର ଝିଅ, ଜଗତ ଜନନୀ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିବେ।ନଈ ପଠା, ବିଲ ଓ ପଡ଼ିଆରେ ଧଳା କାଶତଣ୍ଡି ଫୁଲ ଦୋହଲି ଯେମିତି ମା’ ଙ୍କ ଆଗମନ ପାଇଁ ଧଳା ଚାଦର ବିଛାଇ ଦେଇଛି। ଭୋର ସକାଳର ଶୀତଳ ପବନରେ ଶିଉଳି ଫୁଲର ମହ ମହ ବାସ୍ନା, ଘାସ ଉପରେ କାକର ଭଳି ଜମି ରହିଥିବା ଶିଶିର ବିନ୍ଦୁ ମନକୁ ପବିତ୍ର କରିଦେଉଛି। ଏବେ ଗାଁ ଠୁ ସହର, ସାହି ଠୁ ପୂଜା ମଣ୍ଡପ ଯାଏଁ ସବୁଠି ଏକ ପ୍ରକାର ଚାଞ୍ଚଲ୍ୟ। ମଣ୍ଡପରେ ମଣ୍ଡପରେ ମାଟିର ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କୁମ୍ଭାର, ଲାଉଡ୍ ସ୍ପିକରରେ ଚଣ୍ଡୀପାଠ, ଶଙ୍ଖ, ଘଣ୍ଟ ଓ ଢୋଲର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଛି। ମା’ ହେଉଛନ୍ତି ଶକ୍ତି, ମା’ ହେଉଛନ୍ତି ସାହସ। ଦୁଃଖ, ଅଭାବ, ରୋଗ, ଶୋକ ସବୁକୁ ହରଣ କରି ମା’ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ଶାନ୍ତିରେ ଭରି ଦିଅନ୍ତୁ, ଏତିକି ହିଁ ପ୍ରତି ଭକ୍ତ ହୃଦୟର ପ୍ରାର୍ଥନା।

