ଖଜୁରୀପଡ଼ା,୦୪।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଠାରେ ଅନୁଷ୍ଠିତ ହୋଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଅବସରରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ‘ନମୋ ସେବା ଗାଥା’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଏହି କ୍ରମରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଯାତ୍ରୀ ବିଶ୍ରାମଗାର ଠାରେ ‘ନମୋ ସେବା ଗାଥା’ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ନାଟକ ମାଧ୍ୟମରେ ସେବା, ଜନକଲ୍ୟାଣ, ସାମାଜିକ ଦାୟିତ୍ୱ ଓ ସରକାରୀ ଜନମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଦେଖିବା ପାଇଁ ଖଜୁରୀପଡ଼ା ଅଞ୍ଚଳର ବିଭିନ୍ନ ବର୍ଗର ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିଥିଲେ। ଏଥିସହ ଖଜୁରୀପଡ଼ା ଅଞ୍ଚଳର କିଛି ବିଜେପି କର୍ମୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ପଥପ୍ରାନ୍ତ ନାଟକ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ସରଳ ଓ ସହଜ ଭାଷାରେ ସାମାଜିକ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

