ବ୍ରହ୍ମପୁର,୪/୪:(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେଉଥିବା ଦଣ୍ଡ ନାଟ ନେଇ ଏକ ଏସ ଓ ପି ଜାରି କରାଯାଇଛି। ଏସ ଓ ପି ଜାରି କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଶ୍ଳୀଳତା ବନ୍ଦ କରିବା ଓ ଆମର ସ୍ଵକୀୟ କଳା ଓ ସଂସ୍କୃତିକୁ ଅଧିକ ସମୃଦ୍ଧ କରିବା। ଏସ ଓ ପି, ଜନ ସଚେତନତା ଓ ଗଣମାଧ୍ୟମ ଜରିଆରେ ଅନୁରୋଧ ସତ୍ତ୍ବେ ଦଣ୍ଡ ନାଟରେ ଅଶ୍ଳୀଳତା ପ୍ରକାଶ ପାଉଛି। ଏକ ସୁସ୍ଥ ଓ ସଚେତନ ସମାଜ ପାଇଁ ଏହା ଶୁଭଙ୍କର ନୁହେଁ। ଏହି ସଦ୍ୟ ଅତୀତରେ ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ଵାରା ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ଜଣ ଆୟୋଜକଙ୍କ ଉପରେ ପୋଲିସ କେଶ ଦାୟର କରିଥିଲା ବେଳେ ତହସିଲଦାର, ଛତ୍ରପୁର ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା ପ୍ରଶାସନ ଆଉଥରେ ସ୍ପଷ୍ଟ କରୁଛି ଯେ, ବ୍ୟାପକ ଜନ ସଚେତନତା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ ଦଣ୍ଡ ନାଟରେ ଅଶ୍ଳୀଳତା ବନ୍ଦ ହୋଇପାରିନାହିଁ। ଏହାପରେ ଯେଉଁଠି ବି ଅଶ୍ଳୀଳତା ପ୍ରକାଶ ପାଇବ ଆୟୋଜକଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

