ବେଗୁନିଆପଡ଼ା,୧୨।୧୦(ବାପୁନି ମାଲୁ):ଫଳକ ଲାଗିଲା, ଭିତ୍ତିପ୍ରସ୍ତର ପଡ଼ିଲା, ୪୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟୟ ଅଟକଳ ମଧ୍ୟ ରହିଛି। ହେଲେ ୯ମାସ ବିତିବା ପରେ ବି ଆରମ୍ଭ ହୋଇନି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ। ଅନ୍ୟପଟେ ଆୟୋଜନ ହେଉଛି ମେଗା ସ୍ୱାସ୍ଥ୍ୟ ଶିବିର। ତେବେ ପ୍ରଶ୍ନ ଉଠୁଛି, ସ୍ଥାୟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣରେ ଏତେ ବିଳମ୍ବ କାହିଁକି? ଲୋକଙ୍କୁ କେବଳ ଶିବିରରେ ସ୍ୱାସ୍ଥ୍ୟସେବା ଦେଇ ଦାୟିତ୍ୱ ସରିଯାଉଛି କି? ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୁମାରୀପାରି ଠାରେ ୯ ଜାନୁଆରୀ ୨୦୨୬ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିର୍ମାଣ ପାଇଁ ଫଳକରେ ୪୩ ଲକ୍ଷ ୨୧ ହଜାର ୭୧୮ ଟଙ୍କାର ବ୍ୟୟ ଅଟକଳ ଉଲ୍ଲେଖ ରହିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ସମ୍ପୃକ୍ତ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଛି। ଏପଟେ ଗତକାଲି କୁମାରୀପାରିଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା । ଶିବିର ଆୟୋଜନ ଲୋକଙ୍କୁ ଚିକିତ୍ସା ସୁବିଧା ଦେଇପାରେ, କିନ୍ତୁ ତାହା ସ୍ଥାୟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ବିକଳ୍ପ ହୋଇପାରିବ କି? ଲୋକଙ୍କୁ ନିୟମିତ ସ୍ୱାସ୍ଥ୍ୟସେବା ଦେବା ପାଇଁ ଯେଉଁ ଉପକେନ୍ଦ୍ରର ଆବଶ୍ୟକତା ରହିଛି, ତାହାର ନିର୍ମାଣ କାହିଁକି ଅଟକିଛି? ଭିତ୍ତିପ୍ରସ୍ତର ସ୍ଥାପନ କେବଳ ଫଳକରେ ସୀମିତ ରହିବ ନା ନିର୍ମାଣ କାମ ମଧ୍ୟ ଆରମ୍ଭ ହେବ? ଧାର୍ଯ୍ୟ ଅର୍ଥରେ କାମ କେବେ ଆରମ୍ଭ ହେବ, କେଉଁ କାରଣରୁ ବିଳମ୍ବ ହେଉଛି ଏବଂ କେବେ ସ୍ଥାୟୀ ସ୍ୱାସ୍ଥ୍ୟସେବା ମିଳିବ ? ଏସବୁ ପ୍ରଶ୍ନର ଉତ୍ତର ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଦେବା ଆବଶ୍ୟକ। କୁମାରୀପାରିବାସୀଙ୍କ ଆଶା, ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ ସହ ସ୍ଥାୟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣକୁ ମଧ୍ୟ ଗୁରୁତ୍ୱ ଦିଆଯାଉ। କାରଣ ଲୋକଙ୍କୁ ଦରକାର ନିୟମିତ ସ୍ୱାସ୍ଥ୍ୟସେବା, କେବଳ ଗୋଟିଏ ଦିନର ଶିବିର ନୁହେଁ।

