ଭଞ୍ଜନଗର,୧୨।୧୦(ନିଲୁ ବିଷୋୟୀ):ସାଧାରଣ ବର୍ଗ ଫୋରମ୍ ଦୀର୍ଘ ବର୍ଷ ଧରି ସରକାରଙ୍କ ବିଭିନ୍ନ ଜାତି ଆଧାରିତ ନୀତି, ଆଇନ ଓ ବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ଗଣତାନ୍ତ୍ରିକ ଉପାୟରେ ଦାବି ଓ ଆନ୍ଦୋଳନ କରୁଛି। ଏପ୍ରିଲ୍ ମାସଠାରୁ ଭୁବନେଶ୍ୱରରେ ମଧ୍ୟ ସଙ୍ଗଠନ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗର କାଳଞ୍ଜି କୂଳ ସଭାଗୃହ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହ ସରକାରଙ୍କ ପାଖରେ ଦାବି ଉପସ୍ଥାପନ ନେଇ ଆଲୋଚନା ହୋଇଛି। ୟୁଜିସି ଆଇନ ସଂର୍ପକୀତ ବ୍ୟବସ୍ଥାର ପୁନର୍ବିଚାର ତଥା ଉଚ୍ଛେଦ ନିମନ୍ତେ ପଦକ୍ଷେପ ଗ୍ରହଣ,ଜାତି ନୁହେଁ, ଆର୍ଥିକ ଆଧାର କରି ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ ସରକାରୀ ଚାକିରିରେ ପଦୋନ୍ନତି ସମୟରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ଲୋକ ପ୍ରତିନିଧିତ୍ୱ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ଏବଂ ଏହାର ନବୀକରଣ ନ କରିବା ପାଇଁ ଦାବି ରଖିଥିଲେ। ସେହିପରି ଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ଉପରେ ଅଧିକ ଫି’ ଓ ଅନ୍ୟାନ୍ୟ ପାତର ଅନ୍ତର ବ୍ୟବସ୍ଥାର ଉଚ୍ଛେଦ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅତିଥି ଭାବେ ସାଧାରଣ ବର୍ଗ ଫୋରମ ଆବାହକ ଦୀନବନ୍ଧୁ ଷଡ଼ଙ୍ଗୀ, ଅଶୋକ ପଣ୍ଡା, ବିଜୟ ମହାନ୍ତି ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ମୁରଲୀଧର ପଣ୍ଡା, ନୀଳ ମାଧବ ରଥ ପ୍ରମୁଖ ଉପସ୍ଥିତ ଥିଲେ। ସରୋଜ କାନ୍ତ ଶତପଥୀ, ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଶିବାଷିଶ ମହାପାତ୍ର, ବଟକୃଷ୍ଣ ପଣ୍ଡା, ଗଣେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ।

