ଭଞ୍ଜନଗର,୧୪।୧୦(ନିଲୁ ବିଷୋୟୀ):ରାତି ପାହିଲେ ଅର୍ଥାତ ଗୁରୁବାର ନିର୍ଣ୍ଣୟ ହେବ କିଏ ହେବ ଛାତ୍ରଛାତ୍ରୀଙ୍କ ଛାତ୍ର ସଂସଦର କର୍ମକର୍ତ୍ତା। ଦୀର୍ଘ ୮ ବର୍ଷ ପରେ ନିର୍ବାଚନ କଲେଜ କ୍ୟମ୍ପସକୁ ଫେରିଥିବା ବେଳେ ନୂଆ ଅନୁଭୂତି ନେବା ପାଇଁ ଛାତ୍ର ମାନେ ମଧ୍ୟ ପ୍ରସ୍ତୁତ। ଏହାରି ଭିତରେ ବୁଧବାର ଅନୁଷ୍ଠିତ ହୋଇଛି ହ୍ବାଇ ଆଇ ଷ୍ଟାଣ୍ଡ ଫର ସଭା। ନିର୍ବାଚନକୁ ଓହ୍ଲାଇଥିବା ଆଭିମୁଖ୍ୟ ସ୍ପଷ୍ଟ କରିବା ସହ କ୍ୟାମ୍ପସରରେ ରହିଥିବା ନାନା ସମସ୍ୟା ବଖାଣିବା ସହ ତାର ସମାଧାନ ପ୍ରୟାଶ ପ୍ରତିଶ୍ରୁତି ମଧ୍ୟରେ ସରିଛି ଏହି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ପାଇଁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ନିର୍ବାଚନ ଦାୟିତ୍ବରେ ଥିବା ଅଧ୍ୟାପକ ଡ.ରବିନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଅଧ୍ୟାପକ ଅଧ୍ୟାପିକ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାପତି ଠାରୁ ଆରମ୍ଭ କରି ସମ୍ପାଦକ ତଥା ୧୨ ଟି ପଦବୀ ପାଇଁ ଏହି କଲେଜରେ ନିର୍ବାଚନରେ ଓହ୍ଲାଇଥିବା ୩୫ ଜଣ ପ୍ରାର୍ଥୀଙ୍କ ପାଇଁ ପିଲାଙ୍କୁ ନିଜର ପ୍ରାର୍ଥୀତ୍ବ ସଂର୍ପକରେ ଜଣାଇବାର ଥିଲା ଅନ୍ତିମ ସୁଯୋଗ। ଆଜି ସମସ୍ତ ପ୍ରାର୍ଥୀ କଲେଜରେ ରହିଥିବା ଅନେକ ସମସ୍ୟା ଉପସ୍ଥାପନ କରିଥିଲେ। କେଏସୟୁବି କଲେଜ ଦକ୍ଷିଣ ଓଡିଶାର ଏକ ପ୍ରମୁଖ କଲେଜ ହୋଇଥିବା ବେଳେ ଏହି କଲେଜରୁ ଉଠୁଥିବା ସ୍ବରର ମଧ୍ୟ ସେହି ପରିମାଣରେ ଗୁରୁତ୍ବ ରହିବ ତେଣୁ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ସୁବିଧା ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନି ମାନେ ସେମାନଙ୍କ ଅଭିଭାଷଣରେ ସେ ସବୁ ଉପସ୍ଥାପନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ କଲେଜ ପରିସରରେ ସୁରକ୍ଷା ବାହିନୀ ମଧ୍ୟ ମୁତୟନ ରହିଥିଲେ। ଏହି କଲେଜରେ ସଭାପତି,ଉପସଭାପତି ଓ ସହସମ୍ପାଦକ ପଦବୀରେ ୩ଜଣ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ସାଧାରଣ ସମ୍ପାଦକ ପଦରେ ୪ ଜଣ ପ୍ରତିଦ୍ବନ୍ଦୀତା କରୁଛନ୍ତି। ସେହିପରି କ୍ରୀଡା ସମ୍ପାଦକ,ନାଟ୍ୟ ସଂସଦ ସମ୍ପାଦକ,ଉଭୟ ଛାତ୍ର ଓ ଛାତ୍ରୀ କମନ ରୁମ,ମାଗାଜିନ ଭଳି ବହୁ ପଦବୀ ପାଇଁ ଏକାଧୀକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

