ଭଞ୍ଜନଗର,୧୪।୧୦(ନିଲୁ ବିଶୋୟୀ):ଭଞ୍ଜନଗର ବ୍ଲକ ମୁଜାଗଡ଼ ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀର ଉଦ୍ଘାଟନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗରର ଗଣିତ ବିଭାଗର ଅବସରପ୍ରାପ୍ତ ରିଡର ଅରତି ପ୍ରଧାନ ଏବଂ ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଅତିଥି ତଥା ବିଚାରକ ଭାବେ ଯୋଗଦେଇଥିଲେ। ଅଧ୍ୟାପକ ତ୍ରିନାଥ ବେହେରା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ ମଞ୍ଚାସୀନ ଥିଲେ। ଶିକ୍ଷୟିତ୍ରୀ ଉଷାରାଣୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଉପସ୍ଥିତ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମୋଟ ୪୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଚାରକମାନେ ପ୍ରତ୍ୟେକ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ନବସୃଜନଶୀଳ ଚିନ୍ତାଧାରା, ବୈଜ୍ଞାନିକ ଜ୍ଞାନ ଓ ପ୍ରକଳ୍ପର ଉପଯୋଗିତାକୁ ଅନୁଧ୍ୟାନ କରିଥିଲେ। ପି.ଏମ୍. ଶ୍ରୀ ଯୋଜନାର ବିଭିନ୍ନ କାର୍ଯ୍ୟକଳାପ ଅନ୍ତର୍ଗତ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧିତ୍ସା ମନୋଭାବ, ସୃଜନଶୀଳତା ଓ ବ୍ୟବହାରିକ ଜ୍ଞାନର ବିକାଶରେ ସହାୟକ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସୁପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବିଚାରକମାନଙ୍କ ଦ୍ୱାରା ଚୟନ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।

