ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ କ୍ଲଷ୍ଟରର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବଇକୁମ୍ପା ପରିସରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୮ଟି ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ଦୁତୀମେଣ୍ଡି ସରପଞ୍ଚ ଦମୟନ୍ତୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ମଲ୍ଲିକ, ସିଆରସିସି ଜୟନ୍ତୀ ଦିଗାଲ, ରବିନାରାୟଣ ସେଠୀ ଏବଂ ସମାଜସେବୀ ତଥା ସାମ୍ବାଦିକ ବିକାଶ କୁମାର ଦିଗାଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଏବଂ ପ୍ରତିଯୋଗିତାମୂଳକ ମନୋଭାବର ସୃଷ୍ଟି। ଏହା ସହିତ ପିଲାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଓ ନିଜସ୍ୱ ଦକ୍ଷତାର ପରିପ୍ରକାଶ ପାଇଁ ଏହି ମଞ୍ଚ ଏକ ସୁଯୋଗ ସୃଷ୍ଟି କରିଥିଲା। ସୁଡ୍ରେଜୁ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ମହୋତ୍ସବର ଶେଷ ପର୍ଯ୍ୟାୟରେ ବିଆରସିସି ନାର୍ସୁ କହଁର ଓ ଭାରପ୍ରାପ୍ତ ଏବିଇଓ ସୁର ପ୍ରସାଦ ନାୟକ ଯୋଗଦେଇଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଶିଶୁମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ ମଧ୍ୟରେ ମହୋତ୍ସବଟି ସଫଳତାର ସହ ସମାପନ ହୋଇଥିଲା।

