ପୁରୁଷୋତ୍ତମପୁର,୧୮।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପାର୍ବଣ ଋତୁର ଆଗମନ ସାଙ୍ଗକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠ। ପବିତ୍ର ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଗତ 14ଦିନ ତଳୁ ରୀତି ନୀତିରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପର୍ବ। ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ପରମ୍ପରା ଅନୁଯାୟୀ, ପୂଜାର ପ୍ରଥମ ଦିନରେ ସେବାୟତ ଓ ସେମାନଙ୍କ ପରିବାରବର୍ଗ ପବିତ୍ର ଋଷିକୂଲ୍ୟା ନଦୀକୂଳରେ ପୂଜାର୍ଚ୍ଚନା କରି ୧୦୮ ମାଠିଆ ସୁବାସିତ ଜଳ ସଂଗ୍ରହ କରିଥିଲେ। ପରେ ପାରମ୍ପରିକ ରୀତିନୀତି ଅନୁସରଣ କରି ୯୯୯ ପାହାଚ ଚଢ଼ି ରତ୍ନଗିରି ପାହାଡ଼ ଉପରେ ଥିବା ମା’ଙ୍କ ପୀଠରେ ପହଞ୍ଚିଥିଲେ। ମନ୍ଦିର ଗମ୍ଭୀରାରେ ବିରାଜମାନ ମା’ ତାରାତାରିଣୀଙ୍କ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡିରେ ସ୍ନାନବେଦିକୁ ଅଣାଯାଇଥିଲା। ପରେ ୧୦୮ ମାଠିଆ ସୁବାସିତ ଜଳରେ ଦେବୀଙ୍କ ପବିତ୍ର ସ୍ନାନ ସମ୍ପନ୍ନ ହୋଇଥିଲା। ଏହାପରେ ଷୋଡ଼ଶ ଉପଚାର ପୂଜାର କୁମ୍ଭସ୍ଥାପନା ସହ ଅନ୍ୟାନ୍ୟ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି। କୁଳପୁରୋହିତ ପଣ୍ଡିତ ସିମାଞ୍ଚଳ ଦାଶ ଶର୍ମାଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠ ଚାଲିଥିବା ବେଳେ ସେବାୟତ ସଂଘ ସଭାପତି ତପନ ରଣା କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।ମୁଖ୍ୟ ପୂଜକ ବାପୁଜି ରଣାଙ୍କ ସମେତ ଅନ୍ୟ ସେବାୟତମାନେ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି। ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ-ଯଜ୍ଞ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଏହି ପବିତ୍ର ସମୟରେ ମା’ଙ୍କ ଦର୍ଶନ କଲେ ଦୁଃଖକଷ୍ଟ ଲାଘବ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଗଭୀର ଆସ୍ଥା ରହିଛି।ଆଜି ହେଉଛି ପବିତ୍ର ମହାଷ୍ଟମୀ ମହ ଗୌରୀ ବେଶରେ ଦର୍ଶନ ଦେବେ ମାଆ |ସେଥିପାଇଁ ଅବକାଶ ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା,ଷୋଡଶ ଉପଚାର ପୂଜା, ପ୍ରଥମ ଚଣ୍ଡୀ ପାଠ ପରେ ଶୁଖିଲା ଭୋଗ, ପରେ ମଧ୍ୟାହ୍ନ ରେ ମାଆ ଙ୍କ ଅର୍ଣ୍ଣ ଭୋଗ ପରେ ସାନ୍ଧ୍ୟରେ ମାଜଣା ଆଳତି ପରେ ଆରମ୍ଭ ହେବ ଅଷ୍ଟମୀ ର ପୂଜା ନିତି କାନ୍ତି | ମହାଦୀପ ସହିତ ଷୋଡଶ ଉପଚାର ପୂଜା, ଓ ଦୁର୍ଗାଷ୍ଟମୀ ବିହିତ ହୋମପୂଜା, କୁସ୍ମାଣ୍ଡ ବଳି ଓ ବେଢ଼ା ପରେ ମାଆଙ୍କବାହାରକୁ ପୂଜା ପାଈଁ ଆସିଥିବା ବିଜେ ପ୍ରତିମା କୁ ବାଣ, ରୋଷଣୀ, ଘଣ୍ଟ ମୃଦଙ୍ଗ ରେ ବେଢ଼ା ପରିକ୍ରମଣ ପରେ ପୁଣି ମନ୍ଦିରକୁ ନିଆଯାଇ ପହୁଡ଼ ପକାଯିବ ର ବ୍ୟବସ୍ତା ରହିଛି | ଅନ୍ୟପକ୍ଷରେ ସମ୍ଭାବ୍ୟ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ସୁରକ୍ଷା ଓ ସୁଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତିୱାସନ ସ୍ଥିତି ତଦାରଖ କରିଥିବା ବେଳେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ନଜର ରଖିଛନ୍ତି। ଅତିରିକ୍ତ ତହସିଲଦାର ସଂଗିତା ସେଠୀ, ଦେବାଶିଶ ମହାପାତ୍ର, ଏସଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀଙ୍କ ସହିତ ଏସ ଆଇ ଦେବାଶିଷ ମିଶ୍ର ଓ ପୋଲିସ ଷ୍ଟାଫ ଙ୍କ ତତ୍ତ୍ୱାବଧାନରେ ପୋଲିସ ବାହିନୀ ମୁତୟନ ହୋଇ ଆଇନଶୃଙ୍ଖଳା ଓ ଭକ୍ତଙ୍କ ଯାତାୟାତ ନିୟନ୍ତ୍ରଣ କରୁଛନ୍ତି। ଭକ୍ତ ମାନେ କିପରି ଶୃଙ୍ଖଳିତ ଓ ନିରାପଦ ଦର୍ଶନ କରିବେ ସେଥିପାଇଁ ମଧ୍ୟ ପୋଲିସ ଓ ଫାୟାର ବିଭାଗ ସଜାଗ ରହିଛନ୍ତି |

