ବୁଗୁଡ଼ା,୨୨।୧୦(ପୂର୍ଣ୍ଣ ଚନ୍ଦ୍ର ବାରିକ):ଯଦି ଆପଣ ବଜାରରୁ କଦଳୀ ଖାଉଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣ ପୁଷ୍ଟିକର ଫଳ ଭାବି ଯାହା ଖାଉଛନ୍ତି, ତାହା ପୁଷ୍ଟି ନୁହେଁ ବରଂ ମାରାତ୍ମକ ବିଷ ଅଟେ । ବୁଗୁଡ଼ା ବଜାରରେ ଏବେ କେତେକ ସ୍ଥାନରେ ଏଭଳି ବିଷାକ୍ତ କଦଳୀ ବିକ୍ରି ହେଉଛି । ସାଧାରଣତଃ କଦଳୀ ପାଚିବାକୁ ତିନିରୁ ଚାରିଦିନ ସମୟ ଲାଗିଥାଏ, କିନ୍ତୁ ବଜାରରେ ମିଳୁଥିବା କଦଳୀ ମାତ୍ର କେତେ ଘଣ୍ଟାରେ ରଙ୍ଗ ବଦଳାଇ ଦେଉଛି । ସକାଳେ ସବୁଜ କଞ୍ଚା କଦଳୀ ସନ୍ଧ୍ୟା ବେଳକୁ ହଳଦିଆ ହୋଇ କଳା ପଡ଼ିଯାଉଛି ।ଏହା ପଛରେ କେମିକାଲର କମାଲ ରହିଛି। କେତେକ ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ପାଇଁ କାର୍ବାଇଡ୍ ଓ ଇଥୋଫେନ୍ ଭଳି କେମିକାଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଡାକ୍ତରୀ ବିଶେଷଜ୍ଞଙ୍କ ମତରେ କାର୍ବାଇଡରେ ପାଚିଥିବା କଦଳୀ ଖାଇବା ଦ୍ଵାରା ଆସ୍ତେ ଆସ୍ତେ ଲିଭର ଏବଂ କିଡ୍ନୀ ଖରାପ ହେବାର ସମ୍ଭାବନା ରହିଥାଏ। ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ମଧ୍ୟ ନିମନ୍ତ୍ରଣ କରେ। ବିଶେଷ କରି ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ବିପଦ ଜନକ ଅଟେ। ପୁଷ୍ଟିକର ଖାଦ୍ୟ ଭାବେ ଛୋଟ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ କଦଳୀ ଖାଉଛନ୍ତି। ତେଣୁ ସାମାନ୍ୟ କେତେଟା ଟଙ୍କା ଲୋଭରେ କିଛି ବ୍ୟବସାୟୀ ଲୋକଙ୍କ ବିଶ୍ଵାସ ସହ ଖେଳୁଛନ୍ତି। ସାଧାରଣ ଲୋକେ ଜାଣି ପାରୁନାହାଁନ୍ତି ଯେ କେଉଁଟା ପ୍ରାକୃତିକ ଭାବେ ପାଚିଛି ଆଉ କେଉଁଟା କେମିକାଲରେ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳେବେଳେ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଚଢ଼ାଉ କରୁଥିବା ଦେଖିବାକୁ ମିଳୁଥିଲେ ହେଁ କେମିକାଲ ବ୍ୟବହାର କରୁଥିବା ଫଳ ଦୋକାନ ସେଥିରୁ ବାଦ ପଡ଼ୁଥିବା ମନେ ହେଉଛି। ତେଣୁ ଲୋକଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନିକ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭିନ୍ନ ମହଲରେ ଦୃଢ଼ ଦାବି ହୋଇଛି।

