ଭଞ୍ଜନଗର,୨୨।୧୦(ନିଲୁ ବିଷୋୟୀ):ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକତ୍ରୀକରଣ ବୈଠକ ଉତ୍ସାହ ସହ ଅନୁଷ୍ଠିତ ହୋଇଛି। ଏଥିରେ ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସଙ୍କୁଳ ପ୍ରମୁଖ ଶ୍ରୀ ପ୍ରଧାନ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନର ଆହ୍ୱାନ ଏବଂ ‘ପଞ୍ଚ ପରିବର୍ତ୍ତନ’ର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଏଥିସହ ସେ ସମସ୍ତଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ସମାଜ ଓ ରାଷ୍ଟ୍ର ଗଠନରେ ସକାରାତ୍ମକ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ଉନ୍ନତ ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ।ଏହି ଅବସରରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ବିଦ୍ୟାଳୟର ଉନ୍ନତି ସହ ଛାତ୍ରୀଛାତ୍ରଙ୍କ ଶିକ୍ଷା ଓ ସାମଗ୍ରିକ ବିକାଶ ଦିଗରେ ସମସ୍ତେ କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆଯାଇଥିଲା। ଏଥିରେ ୮୫ ଜଣ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁନର୍ମିଳନ ଓ ବିଦ୍ୟାଳୟ ସହ ଆତ୍ମୀୟ ସମ୍ପର୍କକୁ ଦୃଢ଼ କରିବାରେ ଏହି ଏକତ୍ରୀକରଣ ବୈଠକ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ପାଲଟିଛି। କାର୍ଯ୍ୟକ୍ରମକୁ ସଙ୍ଗୀତା ପଟ୍ଟନାୟକ ସଞ୍ଚାଳନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।

