ଭଞ୍ଜନଗର,୨୩।୧୦(ନିଲୁ ବିଷୋୟୀ):ଆଧୁନିକ ବୈଷୟିକ ଜ୍ଞାନର ସହାୟତାରେ ପୁଲିସ ହଜିଯାଇଥିବା ୫୦ ଟି ମୋବାଇଲ୍କୁ ଠାବ କରିବାରେ ସଫଳ ହୋଇଛି। ଏଥିସହ ଆଜି ପ୍ରକୃତ ମାଲିକଙ୍କୁ ସେମାନଙ୍କ ଫେରାଇବା ପାଇଁ ଭଞ୍ଜନଗର ଥାନାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ ଉଦ୍ଧାର ହୋଇଥିବା ସମସ୍ତ ମୋବାଇଲକୁ ଫେରାଇ ଥିଲେ। ଏଥିସହ ଗତ କିଛି ଦିନ ପୂର୍ବରୁ ଏକ ଡକାୟତି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ୫ ଟି ମଟର ସାଇକଲ,ଚୋରୀ ଅଳଙ୍କାର ସହ ଅନ୍ୟ ଚୋରୀ ମାମଲାରେ ଜବତ ହୋଇଥିବା ଧାନ ମଳା ମେସିନ,ଟ୍ରାକ୍ଟର ଡାଲା,ପାଣି ଟାଙ୍କି ସହ ୨ଟି କାର୍ଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କ ମାଲିକଙ୍କୁ ପ୍ରଦାନ କରାଯାଇଥିଲା। ଏଭଳି ଲୋକଙ୍କ ମୂଲ୍ୟବାନ ସାମଗ୍ରୀ ଚୋରୀ ହେଉଥିବା ବେଳେ ତାକୁ ପୁଲିସ ଉଦ୍ଧାର କରି ଫେରାଇବା ଦ୍ବାରା ଲୋକଙ୍କ ମନରେ ପୁଲିସ ପ୍ରତି ବିଶ୍ବାସ ଜାତ ହେବା ସହ ଜନସାଧାରଣ ଓ ପୁଲିସ ମଧ୍ୟରେ ରହିଥିବା ଦୂରତ୍ବ ହ୍ରାସ ପାଇବାରେ ସହାୟକ ହେଉଥିବା ଏସ୍ପି କହିଥିଲେ। ନିଜର ହଜିଥିବା ମୋବାଇଲ ପୁଣି ପାଇବା ପରେ ଲୋକ ମାନେ ନିଜର ଖୁସି ପ୍ରକଟ କରିବା ସହ ପୁଲିସକୁ ସାଧୁବାଦ୍ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏଏସ୍ପି ରଞ୍ଜନ କୁମାର ଦେ,ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର,ଥାନା ଅଧିକାରୀ ଜୀବନାନନ୍ଦ ଜେନା,ଏସ୍ଆଇ ସମୀର କୁମାର ସେଠୀ,ଜ୍ୟୋତ୍ସାମୟୀ ସାହୁ,ଲକ୍ଷ୍ମୀଧର ମହାନ୍ତି,ସୁବ୍ରତ କୁମାର ଲେଙ୍କା,ଏଏସ୍ଆଇ ସତ୍ୟନାରାୟଣ ମଲ୍ଲିକ,ଶରତ ଚନ୍ଦ୍ର ପଣ୍ଡା,ବିଦେଶୀ ବେହେରା,କୁମୁଦଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।ଏଥିପୂର୍ବରୁ ମଧ୍ୟ ଭଞ୍ଜନଗର ଥାନା ପକ୍ଷରୁ ୧୦୩ ଜଣଙ୍କୁ ହଜିଥିବା ମୋବାଇଲ ଫେରାଇଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ୧୫୩ ଜଣ ବ୍ୟକ୍ତି ସେମାନଙ୍କ ହଜିଥିବା ମୋବାଇଲ ଫେରି ପାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

