ଭଞ୍ଜନଗର,୨୫।୧୦(ନିଲୁ ବିଷୋୟୀ):ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ଗୁରୁତ୍ୱ ଦେଇ ଭଞ୍ଜନଗରର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରଶାସନିକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଭଞ୍ଜନଗର ବ୍ଲକ ତୁରୁମୁସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାକାର ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବା ସହ ବିଡିଓ ଭାରତୀ ଦେବୀଙ୍କ ସମେତ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଆଗାମୀ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳକୁ ସମସ୍ତ ଦିଗରୁ ପ୍ରସ୍ତୁତ ରଖିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳରେ ପାନୀୟ ଜଳ, ଆଲୋକ, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ସହ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ଆଶ୍ରୟ ପ୍ରଦାନ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବାତ୍ୟା ସମୟରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ବିପଦପୂର୍ଣ୍ଣ ଘରେ ରହିବାକୁ ନଦେଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ନିର୍ଦ୍ଧାରିତ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜନସାଧାରଣଙ୍କୁ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ପ୍ରଦାନ, ଜନସଚେତନତା ସୃଷ୍ଟି ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ସକ୍ରିୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସମ୍ଭାବ୍ୟ ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ସର୍ବାଧିକ ପ୍ରାଥମିକତା ହୋଇଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ଭାରତୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ଭାବ୍ୟ ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କିଭଳି ଆବଶ୍ୟକ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା ହୋଇଥିଲା। ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଡହ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପି. ଭେଙ୍କଟେଶ, ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ, ସିଡିପିଓଙ୍କ ଅନୁପସ୍ଥିତିରେ ସୁପରଭାଇଜର, ଟାଟା ପାୱାର, ଅଗ୍ନିଶମ ବାହିନୀ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

