ବେଲଗୁଣ୍ଠା,୨।୧୧(ଶିବରାମ ଚୌଧୁରୀ):ଅର୍ଣ୍ଣବ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ବେଲଗୁଣ୍ଠା ବ୍ଲକ୍ର ଇଙ୍ଗିନାଠି ପଞ୍ଚାୟତବାସୀଙ୍କୁ ସହାୟତାର ହାତ ବଢ଼ାଇଛି ଭୁବନେଶ୍ୱରର ଜୟ ଜଗନ୍ନାଥ ଏକ୍ସିଡେଣ୍ଟାଲ ହେଲ୍ପ ୟୁନିଟ୍ ଓ ବେଲଗୁଣ୍ଠା ପ୍ରେସକ୍ଲବ୍। ଉଭୟ ସଂଗଠନର ମିଳିତ ଆନୁକୂଲ୍ୟରେ ରବିବାର ଇଙ୍ଗିନାଠି, ଉସ୍ତପଲ୍ଲୀ ଓ ସାରିଆପଲ୍ଲୀ ଗ୍ରାମର ୭୦୦ରୁ ଊର୍ଦ୍ଧ୍ୱ ପରିବାରକୁ ରିଲିଫ୍ ସାମଗ୍ରୀ ଓ ନୂତନ ପୋଷାକ ବଣ୍ଟନ କରାଯାଇଥିଲା।ଜୟ ଜଗନ୍ନାଥ ଏକ୍ସିଡେଣ୍ଟାଲ ହେଲ୍ପ ୟୁନିଟ୍ର ସଭାପତି ରଙ୍କନିଧି ସାମଲ ଓ ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟ ହୋଇଥିଲା। ବୃଦ୍ଧବୃଦ୍ଧାଙ୍କୁ କମ୍ବଳ, ମହିଳାଙ୍କୁ ଶାଢ଼ି, ପୁରୁଷଙ୍କୁ ପୋଷାକ ଏବଂ ଶିଶୁଙ୍କୁ ନୂତନ ପୋଷାକ ସହ ଚୁଡ଼ା, ଚିନି ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଏହି ଅବସରରେ ରଙ୍କନିଧି ସାମଲ କହିଥିଲେ, ଅସହାୟ ଓ ବିପନ୍ନଙ୍କ ମୁହଁରେ ହସ ଫୁଟାଇବା ସଂଗଠନର ମୂଳ ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଉଭୟ ସଂଗଠନର ବହୁ ସଦସ୍ୟ, ସାମ୍ବାଦିକ ଓ ସମାଜସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ।

