ବେଗୁନିଆ ପଡ଼ା,୩।୧୧(ବାପୁନି ମାଲୁ):ଆଜି ବି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଗ୍ରାମାଞ୍ଚଳରେ ରାସ୍ତା ଭଳି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଏହାର ଏକ ଦୁଃଖଦ ଚିତ୍ର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ସୋରଡ଼ାପଲ୍ଲୀ ଅନ୍ତର୍ଗତ କରନ୍ଦାଗଡ଼ ଗ୍ରାମରୁ ସାମ୍ନାକୁ ଆସିଛି। ଗ୍ରାମକୁ ଯିବା ପାଇଁ ଯାତାୟାତ ଉପଯୋଗୀ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ଦୋଳାରେ ବୋହି ନେବାକୁ ପଡ଼ିଥିଲା। ହେଲେ ଦୁର୍ଭାଗ୍ୟବଶତଃ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ମୃତକଙ୍କ ସ୍ତ୍ରୀଙ୍କ ନାମ ରଶ୍ମିତା ଶବର ଏବଂ ସ୍ୱାମୀଙ୍କ ନାମ ବିପ୍ର ଶବର। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ଗ୍ରାମକୁ ଆଜି ପର୍ଯ୍ୟନ୍ତ ଯାତାୟାତ ଉପଯୋଗୀ ରାସ୍ତା କାହିଁକି ହୋଇପାରିନାହିଁ? ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ପହଞ୍ଚିବାର ବ୍ୟବସ୍ଥା ନାହିଁ କାହିଁକି? ଲୋକଙ୍କ ମୌଳିକ ଅଧିକାର ଓ ଜୀବନର ସୁରକ୍ଷା ପ୍ରତି ପ୍ରଶାସନର ଦାୟିତ୍ୱ କେଉଁଠି? କେବଳ ଯୋଜନା ଓ ବିକାଶର ଘୋଷଣାରେ କ’ଣ ଗ୍ରାମାଞ୍ଚଳର ଚିତ୍ର ବଦଳିବ? ଜଣେ ରୋଗୀଙ୍କୁ ଦୋଳାରେ ବୋହି ନେବା ଏବଂ ରାସ୍ତାରେ ଜୀବନ ଚାଲିଯିବା ଘଟଣା ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ଗୁରୁତର ପ୍ରଶ୍ନବାଚୀ।

