ସୁନ୍ଦରଗଡ଼, ୧୧/୦୩ : ( ଜନ ବାଣୀ ନ୍ୟୁଜ ) ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଆଜି ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିକାଶ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I
ବୈଠକରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅଂଶୁଘାତ ର ମୁକାବିଲା ସହିତ ଜଳ ସମସ୍ୟା ର ସମାଧାନ ଦିଗରେ ବିଶେଷ ଧ୍ୟାନ ଦିଆଯିବାକୁ ଗୁରୁତ୍ୱାରୋପ କରିଥିଲେ। 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଅପାତକାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ କହିଛନ୍ତି।
ରାଉରକେଲା ମହାନଗର ନିଗମ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ୱାଟକୋ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକା ର ନିର୍ବାହୀ ଅଧିକାରୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଳ ସମସ୍ୟା ଦୁରୀକରଣ ନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ,ଜଳ ଛତ୍ର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଚଳ କିମ୍ବା ଖରାପ ହୋଇଯାଇଥିବା ନଳକୂପ ଗୁଡିକ ଶୀଘ୍ର ମରାମତି କରାଯିବାକୁ ଏବଂ ଜଳ ସମସ୍ୟା ଥିବା ଅଞ୍ଚଳ ଗୁଡିକ ବିଶେଷ ଧ୍ୟାନ ଦେବା ,ପ୍ରମୁଖ ସ୍ଥାନ ମାନଙ୍କରେ ଜଳଛତ୍ରମାନ ଖୋଲା ଯିବା ସହିତ ଜଙ୍ଗଲ ନିଆଁ ପ୍ରତି ବିଶେଷ ଧ୍ୟାନ ଦେବା ତଥା ପ୍ରାଣୀ ଓ ପକ୍ଷୀ ଙ୍କ ନିମନ୍ତେ ଜଳ ବ୍ୟବସ୍ଥା, ତାଙ୍କ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା, ଗ୍ରୀଷ୍ମ ସମୟ ରେ ଗୃହ ପାଳିତ ପ୍ରାଣୀ ମାନଙ୍କର କିଭଳି ଯତ୍ନ ନିଆଯିବ ତାହା ନେଇ ସଚେତନତା ସୃଷ୍ଟି କରିବା ଆଦି ନେଇ ବୈଠକ ରେ ଆଲୋଚନା କରାଯାଇଛି।
ସେହିପରି ଅଂଶୁଘାତ ର ମୁକାବିଲା ନିମନ୍ତେ ସମସ୍ତ ଡାକ୍ତରଖାନା ମାନଙ୍କରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା, ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡ ପ୍ରସ୍ତୁତ ରଖିବା, ଆବଶ୍ୟକୀୟ ପରିମାଣରେ ଓ.ଆର୍.ଏସ୍ .ପ୍ୟାକେଟ୍ ,ଆବଶ୍ୟକୀୟ ଔଷଧ ଆଦି ମହଜୁଦ ରଖିବା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ କୁହାଯାଇଛି । କଣ୍ଟ୍ରୋଲ ରୁମ ମଧ୍ୟ କାର୍ଯ୍ୟକାରୀ ହେଉଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅବଗତ କରାଇଥିଲେ। ସେହିଭଳି ଏହି ସ୍ଵତନ୍ତ୍ର ୱାର୍ଡ ମାନଙ୍କରେ ନିରବଛିନ୍ନ ବିଦ୍ୟୁତ୍ ଓ ଏସି ବ୍ୟବସ୍ଥା କରିବାକୁ କୁହାଯାଇଛି। ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ମାନେ ଗସ୍ତ କରି ନିଜ ନିଜ ଅଂଚଳ ସବୁ ବ୍ୟବସ୍ଥା ଆଦି କୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସକାଳୁଆ ସ୍କୁଲ ଓ ସକାଳୁଆ ଅଙ୍ଗନୱାଡ଼ି ବିଷୟରେ ଆଲୋଚନା କରାଯାଇଥିଲା I ସମସ୍ତ ସ୍କୁଲ, ଅଙ୍ଗନୱାଡ଼ି ମାନଙ୍କରେ ଯଥେଷ୍ଟ ପରିମାଣରେ ପାନୀୟ ଜଳ, ଓ. ଆର୍. ଏସ୍ ବ୍ୟବସ୍ଥା କରିବାକୁ କୁହାଯାଇଥିଲା I ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କର ଗ୍ରୀଷ୍ମ ପ୍ରବାହ ସମୟରେ ବାହାରକୁ ନ ବାହାରିବାକୁ ସଚେତନ କରିବା ଆଲୋଚନା କରାଯାଇଥିଲା।
ସେହିପରି ଅଂଶୁଘାତ ରୁ ବର୍ତ୍ତିବା ପାଇଁ ଶ୍ରମିକ ମାନେ ଯେପରି ଅତ୍ୟଧିକ ଖରା ସମୟ ରେ କାମ ନକରିବା ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଜିଲ୍ଲା ଶ୍ରମ ଅଧିକାରୀ ନିୟମିତ କାର୍ଯ୍ୟସ୍ଥଳ ମାନଙ୍କରେ ଶ୍ରମିକ ମାନଙ୍କ ପାଇଁ ବ୍ୟବସ୍ଥା ଓ କାର୍ଯ୍ୟ ସମୟ ଠିକ୍ ଭାବରେ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ତଦାରଖ କରିବାକୁ କହିଛନ୍ତି । ସେହିପରି ଅତ୍ୟାବଶ୍ୟକ ନହେଲେ ବାହାର କୁ ନ ବାହାରିବା ନିମନ୍ତେ ଜନସଚେତନତା କରାଯିବାକୁ ଆଲୋଚନା କରାଯାଇଥିଲା ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ତେଜସ୍ୱୀ ନି ବେହେରା , ଏସି ଏଫ ରାଜ କୁମାର ସେଠୀ ,ଡେପୁଟି କଲେକ୍ଟର (ଅପାତକାଳୀନ) ଶ୍ରୀ ଅଶ୍ଵିନୀ ପଣ୍ଡା , ଡିପିଏଚଓ ଡ। ଶ୍ରୀନିବାସ ମହାରଣା ସହିତ ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ପୌର ପାଳିକାର ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ I

