ଫୁଲବାଣୀ:୧୪/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଓଡ଼ିଆ ନବବର୍ଷ ଓ ସମ୍ବର୍ଦ୍ଧନା ପର୍ବ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଗତ ଅପ୍ରିଲ ୧ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଓଡିଆ ପକ୍ଷ ୨୦୨୬ ଉତ୍ସବ ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଏକ ଭବ୍ୟ ସମାରୋହରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଯୋଗଦେଇ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହରିଶ ବି ସି, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଓ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭ୍ରଜିତ ବିଶ୍ଵାଳ ଯୋଗଦେଇ ଜିଲ୍ଲାବାସୀଙ୍କୁ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସାମାଜିକ ସଦଭାବନା ରକ୍ଷା କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଓଡ଼ିଆ ଐତିହ୍ୟକୁ ମନେ ପକାଇବା ପାଇଁ ଝୋଟି ଓ ମୁରୁଜ ଇତ୍ୟାଦି ପାରମ୍ପରିକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା, ଯେଉଁଥିରେ ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଏବଂ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାରେ ମାଓ ଦମନରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସୁରକ୍ଷା ଯବାନମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଆଗନ୍ତୁକ ଅତିଥି ଓ ଜନସାଧାରଣଙ୍କୁ ପାରମ୍ପରିକ ପଣା ପ୍ରଦାନ କରାଯାଇଥିଲା। ଫୁଲବାଣୀ ସମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବହୁ ବୁଦ୍ଧିଜୀବୀ, କଳାକାର ଓ ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

