ଭଞ୍ଜନଗର,୨୧/୦୪ (ଜନବାଣୀ): ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବକ ଯୁବତୀଙ୍କୁ ମାଗଣାରେ ତାଲିମ ଦେବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ତେଣୁ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ୩ଟି ଉପଖଣ୍ଡ ଯଥା ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁରଠାରେ ୩ଟି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଆରମ୍ଭ ହୋଇଛି। ଆଜି ଭଞ୍ଜନଗର ସିଟି ସ୍କୁଲ ପରିସରରେ ଥିବା ତାଲିମ କେନ୍ଦ୍ରକୁ ବାଣିଜ୍ୟ, ପରିବହନ, ଜଳସମ୍ପଦ ଓ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦଘାଟନ କରିଛନ୍ତି। ଆର୍ଥାଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ମେଧାବୀ ଛାତ୍ରଛାତ୍ରୀମାନେ ଆଉ ଦିଲ୍ଲୀ, ଭୁବନେଶ୍ୱର ନ ଯାଇ ଏଠାରେ ଅତ୍ୟାଧୁନିକ ଶିକ୍ଷା ଲାଭ କରିବେ। ଏଠାରେ ମୋଟ ସିଟ୍ ୫୦ଜଣ ମଧ୍ୟରେ ମହିଳାଙ୍କ ନିମନ୍ତେ ୫୦ଭାଗ ସିଟ୍ ସଂରକ୍ଷଣ ରଖାଯାଇଛି। ଦିଲ୍ଲୀର ଏକ ଅନୁଷ୍ଠାନ ସାରଥୀ ଆଇଏସ ତରଫରୁ ଆଭାସୀ ମାଧ୍ୟମରେ ତାଲିମ ପ୍ରଦାନ କରାଯିବ। ଏଥିସହ ଉପଖଣ୍ଡର ଦକ୍ଷ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ତାଲିମ ଦେବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାମୁକା ଭିତରୁ ମୁକ୍ତା ଖୋଜିବାର ପ୍ରୟାସକୁ ଏହି ଶିକ୍ଷାନୁଷ୍ଠାନର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳ ମାଧବ ପାତ୍ର, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବ୍ଲକ ଅଧ୍ୟକ୍ଷ ନରୀ ସଭା ନାୟକ ଓ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବିଡିଓ ଭାରତୀ ଦେବୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

