ଓଡ଼ଗାଁ,୨୪/୦୪:(ଜନବାଣୀ):୧୯୯୦ ମସିହାର ଏପ୍ରିଲ ୨୨ ତାରିଖ ଦିନ ପଦ୍ମଶ୍ରୀ ରାଧା ମୋହନଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ବାହାଡା ଝୋଳା ଓ ସୁନାମୁହ୍ନି ମଧ୍ୟରେ ଥିବା ୧୭ ଖଣ୍ଡ ଗାଁର ଜଙ୍ଗଲ ସୁରକ୍ଷାର ମହିଳା କର୍ମୀମାନେ ପଦ ଯାତ୍ରା ପରେ ଏକାଠି ହୋଇଥିଲେ। ସେମାନେ ଦାହାଙ୍ଗି ଆମ୍ବ ତୋଟାରେ ଏକାଠି ହୋଇ ନିଜ ଅଞ୍ଚଳର ଉଜୁଡ଼ା ଜଙ୍ଗଳକୁ ସୁରକ୍ଷା ଦେଇ ପୁଣି ଜୀବନ ଫେରାଇବାକୁ ସପଥ କରିଥିଲେ।ସେଇଦିନଠାରୁ ବିଶ୍ୱ ଧରିତ୍ରୀ ଦିବସକୁ ତାଙ୍କ ଜଙ୍ଗଲର ପୁନର୍ଜନ୍ମ ଭାବରେ ସେମାନେ ମନେ ରଖିଛନ୍ତି ଓ କେତେକ ଗ୍ରାମବାସୀ ପୁରୁଣା ଗଛ ପାଖକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି। ସେତେବେଳଠାରୁ ଅନେକ ବର୍ଷ ପର୍ଯ୍ୟନ୍ତ ଅନେକ ଗ୍ରାମବାସୀ ନିଷ୍ଠାର ସହ ଜଙ୍ଗଳକୁ ରକ୍ଷା କରିଥିବାରୁ ଆଜି ସେହି ଜାଗାରେ ଚମତ୍କାର ସାଲ ଜଙ୍ଗଳ ରହିପାରିଛି। ଏଥିରୁ ସହ ସହ ଲୋକଙ୍କର ରୋଜଗାର ମଧ୍ୟ ହେଉଛି।ଏହି କାମର ଗୁରୁତ୍ୱ ଯଦି ମହିଳାମାନେ ଓ ବର୍ତ୍ତମାନର ଯୁବପିଢ଼ି ନ ବୁଝିବେ, ତାହେଲେ ଜଙ୍ଗଳ ରହିବା କଷ୍ଟ ହେବ। ଏହି କଥାକୁ ବୁଝାଇବା ପାଇଁ ‘ସମ୍ଭବ’ ର ସମ୍ପାଦିକା ପଦ୍ମଶ୍ରୀ ସାବରମତୀ ଙ୍କ ନେତୃତ୍ୱରେ ଗିରିଜୀ ପଲ୍ଲୀ, ସୁନାମୁହ୍ନି, ବେରୁହାନବାରି ଆଦି ପଞ୍ଚାୟତରୁ ଆସିଥିବା ମହିଳାମାନଙ୍କ ସହିତ ସୁନାମୁହ୍ନି ପଞ୍ଚାୟତର କଲ୍ୟାଣ ମଣ୍ଡପରେ ଧରିତ୍ରୀ ଦିବସ ପାଳନ କରାଯାଇଥିଲା। ଏହି କାର୍ଯକ୍ରମରେ ଶତାଧିକ ମହିଳା ଯୋଗ ଦେଇଥିଲେ।ଏଥିରେ ପରିବେଶ, ଜଙ୍ଗଳ, ସୁରକ୍ଷା ଓ ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା। ‘ସମ୍ଭବ’ ତରଫରୁ ନମିତା, କୈଳାଶ, କୁଶ ଓ ସୁରେଶ ତଥା କୁରାଳରୁ ପରିବେଶବିଦ୍ ସୁକାନ୍ତ ଚୌଧୁରୀ ଯୋଗ ଦେଇଥିଲେ। ସୁନାମୁହ୍ନି ପଞ୍ଚାୟତର M.B.K. କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

