ବୁଗୁଡ଼ା,୨୯/୪,(କୁମୁଦ ଚନ୍ଦ୍ର ବେହେରା):ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁ ଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଟୋପେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ପଥଚାରୀ । ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଜଳ ଛତ୍ର ଦୃଶ୍ୟମାନ ହେଉ ଥିବାବେଳେ ମଧ୍ୟ ବିଭିନ୍ନ ଦୋକାନରେ ଥଣ୍ଡା ପାନୀୟ ସାଙ୍ଗକୁ ପାଣି, ମିଶ୍ରି ଓ ଲେମ୍ବୁ ପାଣି ସାଙ୍ଗକୁ ଦହି ତଲ୍ଲା, ସୋଡା ଆଦିର ଚାହିଦା ବଢିବାରେ ଲାଗିଛି। ଶୋଷରେ ଆତୁର ଯାତ୍ରୀ ଓ ପଥଚାରୀ ଶୋଷ ମେଣ୍ଟାଇବାକୁ ସମସ୍ତ ପାନୀୟ କିଣୁ ଥିବା ବେଳେ ଏ ସବୁର ମାନ ଉପରେ ପ୍ରଶ୍ନ ଉଠୁଛି । ବଜାରରେ ନାମୀ ଦାମୀ କମ୍ପାନୀର ପାନୀୟ ସାମଗ୍ରୀ ସାଙ୍ଗକୁ ବହୁ ବେନାମୀ ଓ ସ୍ଥାନୀୟ ପ୍ରସ୍ତୁତି ପାନୀୟ ବହୁଳ ବଜାରରେ ମୃଦୁ ପାନୀୟ ସମ୍ଭାର ଭାବରେ ବିକ୍ରିବଟା ହେଉଛି। ତେବେ ବଜାରରେ ସାଧାରଣ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ମୃଦୁ ପାନୀୟ ବାସ୍ତବରେ ଶରୀର ପାଇଁ କ୍ଷତିକାରକ ନା ନାହିଁ ତାର ନିୟମିତ ଯାଞ୍ଚ କରା ଯାଉ ନାହିଁ। ବଜାରରେ ବିକ୍ରି ହେଉଥିବା ପାନୀୟ ସାମଗ୍ରୀର ପ୍ରସ୍ତୁତକାରୀ ସଂସ୍ଥା ବାସ୍ତବରେ ସ୍ୱୀକୃତି ପ୍ରାପ୍ତ ନା ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପ୍ରଶାସନର ଯାଞ୍ଚକାରୀ ଓ ମାନ ନିର୍ଦ୍ଧାରଣକାରୀ କମିଟି ପକ୍ଷରୁ ପାନୀୟ କାରବାର ବଜାର ଉପରେ ନଜର ନଥିବା ସାଧାରଣରେ ଅଭିଯୋଗ ହେଉଛି । ମୃଦୁ ପାନୀୟ ସାମଗ୍ରୀ, ପାଣି ଓ ଦହିପାଣିର ମାନ ସହ ଏସବୁ ପ୍ୟାକିଙ୍ଗ ହୋଇଥିବା ପଲିଥୁନ ଓ ପ୍ଲାଷ୍ଟିକ ବୋତଲ ବାସ୍ତବରେ କ୍ଷତିକାରକ ନା ନାହିଁ ତା ଉପରେ ମଧ୍ୟ ଧ୍ୟାନ ଦିଆଯାଉ ନାହିଁ । ସେହିଭଳି ନିର୍ଦ୍ଧାରିତ ବ୍ୟବହାର ଅବଧୂ ଶେଷ ପରେ ମଧ୍ୟ ବିକ୍ରିବଟା ହେଉଥିବା ପାନୀୟ ସାମଗ୍ରୀର ଯାଞ୍ଚ ବ୍ୟବସ୍ଥା ଠପ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ତେବେ ଖାଦ୍ୟ ନିରାପତ୍ତା ସହ ଏହାର ଗୁଣବତ୍ତା ଯାଞ୍ଚ ନିମନ୍ତେ ନିୟୋଜିତ ଟିମ ନାକରେ ତେଲ ଦେଇ ଶୋଇଥିବାବେଳେ ଥଣ୍ଡା ପାନୀୟ ବାସ୍ତବରେ ଶୋଷ ମେଣ୍ଟାଉଛି ନା ବିଷ ବାଣ୍ଟୁଛି ତାହା ଏବେ ବଡ ପ୍ରଶ୍ନ ଭାବେ ଉଭା ହୋଇଛି।

