ପୋଲସରା,୦୩/୦୫,(ଶିବ ପ୍ରସାଦ ସାହୁ):ମହିଳା ମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ପୋଲସରା ନଗର ମଣ୍ଡଳରେ ମହିଳା ଟଜନ ଆକ୍ରୋଶ ପଦଯାତ୍ରା ପୋଲସରା ନଗର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଗାୟତ୍ରୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ପାଇଁ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ସହ ଡିଏମକେ,ଟିଏମସି, ସମାଜବାଦୀ ଓ ବିଜେଡି ଦଳ ସହିତ ଅନ୍ୟ କିଛି ଆଞ୍ଚଳିକ ଦଳ ବିରୋଧ ଜଣାଇଥିଲା। ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ମାନଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବା ନେଇ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ଠାରେ ନଗର ମଣ୍ଡଳ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି।ପୋଲସର ସହର ରାମ ମନ୍ଦିର ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ , ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଓ ଟିଏମସି ମୁଖିଆ ମମତା ବାନାର୍ଜୀ ଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରା ମୁଖ୍ୟ ସଡ଼କରେ ପୋଲସରା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରେ ତିନି ମୁଖିଆଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ପଦଯାତ୍ରାର ଜିଲ୍ଲା ସଂଯୋଜକ ସିମାଞ୍ଚଳ ସାହୁ, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ନାୟକ,ସମିତି ସଭ୍ୟା ସଞ୍ଜୁକ୍ତା ପ୍ରଧାନ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରତିମା ସାହୁ,ଆରତୀ ଦେବୀ, ଯୁବନେତା ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ,ନଗର ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ, ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ସମେତ ବହୁ ମହିଳା ମୋର୍ଚ୍ଚାର ସଦସ୍ଯା ମହିଳା ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ।

