କରଞ୍ଜିଆ,୨୩/୫,(ରିଙ୍କୁ ବାବୁ):ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ବରିଷ୍ଠ ଆଇଏଫଏସ ଜି. ରାଜେଶ ୨୧ ତାରିଖ କରଞ୍ଜିଆ ଗସ୍ତରେ ଆସି ସମୀକ୍ଷା କରିଛନ୍ତି l କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କେନ୍ଦୁମୁଣ୍ଡିରେ ଥିବା ବହୁମୁଖୀ ଉତ୍ପାଦ କ୍ଳଷ୍ଟରର ଅଗ୍ରଗତି ଅନୁଧ୍ୟାନ କରିଥିଲେ l ସେଥିରେ ନୂତନ ଭାବେ ଗଢି ଉଠିଥିବା ପାଞ୍ଚପିଢ଼ ମଲ୍ଟି ପ୍ରଡକ୍ଟ କ୍ଲଷ୍ଟରର ବୋର୍ଡ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିବା ସହିତ ରୋଜଗାରରେ କିପରି ଉନ୍ନତି ଆସିପାରିବ ସେ ସଂକ୍ରାନ୍ତରେ ନିଜର ମତ ରଖିଥିଲେ l ପରେ ପାଟବିଲ ଗ୍ରାମକୁ ଯାଇ ବନ ସୁରକ୍ଷା ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ l ଏସଏଚଜି ଗୁଡିକ ପ୍ରସ୍ତୁତ କରି ବ୍ୟବସାୟ କରୁଥିବା ଉତ୍ପାଦ ଗୁଡିକୁ ଦେଖିବା ସହ ଖାଦ୍ୟ ପଦାର୍ଥ ଚାଖି ମାନ ଉନ୍ନତ ଥିବା ପ୍ରକାଶ କରିଥିଲେ l ଗାଁକୁ ଯାଇ ମା ଲକ୍ଷ୍ମୀ ଏସଏଚଜି ପରିଚାଳନା କରୁଥିବା ଏପିସି କ୍ଳଷ୍ଟରରେ ସେମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l କ୍ଳଷ୍ଟରରେ କରାଯାଇଥିବା ସେଡରେ ଫ୍ଲୋରିଙ୍ଗ କରାଯାଇନଥିବାରୁ ଆରସିସିଏଫଙ୍କୁ ଏସଏଚଜିକୁ ସହାୟତା କରିବାକୁ ପରାମର୍ଶ ଦେଇଥିଲେ l ଅପରାହ୍ନରେ କରଞ୍ଜିଆ ଡ଼ିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କରଞ୍ଜିଆ, ରାଇରଙ୍ଗପୁର ଏବଂ ବାରିପଦା ଡ଼ିଏମୟୁ ରେ ପ୍ରକଳ୍ପର ଅଗ୍ରଗତି ଉପସ୍ଥାପନ କରାଯାଇଥିଲା l ନିର୍ଦ୍ଦେଶକ ତାଙ୍କ ବକ୍ତବ୍ୟରେ ଆମେ ପ୍ରକଳ୍ପର ଶେଷ ବର୍ଷରେ ପହଞ୍ଚିଛେ l ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ଲୋକଙ୍କ ନିମନ୍ତେ ବିକଳ୍ପ ରୋଜଗାର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି ଅବସରରେ ଆରସିସିଏଫ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ. ପ୍ରକାଶ ଚାନ୍ଦ ଗୋଗିନେନି, ବାରିପଦା ଡ଼ିଏଫଓ ଗୋବିନ୍ଦ ବିଶ୍ୱାଳ ଏବଂ କରଞ୍ଜିଆ ଡ଼ିଏଫଓ ସୁବ୍ରତ ପାତ୍ର, ଏସପିଏମ ମମତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଏସଏମଏସ ନିଶିକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ବୈଠକରେ ସମସ୍ତ ରେଞ୍ଜ ଅଫିସର, ଫରେଷ୍ଟର, ସଂଯୋଜକ, ବନରକ୍ଷୀ ତଥା ସଦସ୍ୟ ସମ୍ପାଦକ ଅନ୍ୟାନ୍ୟ ଡ଼ିଏମୟୁର ଏସଏମଏସ ପ୍ରମୁଖ ଯୋଗ ଦେଇଥିଲେ l

