ଖଜୁରୀପଡ଼ା,୨୫/୫,( ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧୀନ ପିରିକୁଡି ପଞ୍ଚାୟତର ବିଳାବାଡି ଗ୍ରାମରେ ମଠ ଗୃହ ନିର୍ମାଣକୁ କେନ୍ଦ୍ର କରି ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀମାନେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି।ସୂଚନା ଅନୁଯାୟୀ, ହରିଜନ ସାହି ପାଇଁ ମଞ୍ଜୁର ହୋଇଥିବା ମଠ ଗୃହଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜମିରେ ନିର୍ମାଣ ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ, ସାମୁଦାୟିକ ଉଦ୍ଦେଶ୍ୟରେ ଥିବା ଗୃହ ବ୍ୟକ୍ତିଗତ ଜାଗାରେ ନିର୍ମାଣ ହେଲେ ଆଗାମୀ ଦିନରେ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ପଡ଼ିପାରନ୍ତି।ଗ୍ରାମବାସୀ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଗ୍ରାମରେ ଏକ ମଣ୍ଡପ ବ୍ୟକ୍ତିଗତ ଜମିରେ ନିର୍ମାଣ ହୋଇ ଅଧାରେ ଅଟକି ରହିଛି। ତେଣୁ ପୁଣି ସେହି ପରିସ୍ଥିତି ନ ସୃଷ୍ଟି ହେବା ପାଇଁ ପ୍ରଶାସନ ହସ୍ତକ୍ଷେପ କରି ଉଚିତ ସ୍ଥାନରେ ମଠ ଗୃହ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।ଏହା ସହ ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ସୋଲାର ଟାଙ୍କି ସହ ଏକ ନୂତନ ନଳକୂପ ଖୋଳିବାକୁ ମଧ୍ୟ ଦାବି ହୋଇଛି। ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଏନେଇ ତଦନ୍ତ କରି ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

