ଭଞ୍ଜନଗର,୧୭/୦୬(ନିଲୁ ବିଷୋୟୀ):ଭଞ୍ଜନଗର ଥାନା ଅଧିନ ଭେଜିପୁଟ ନୂଆସାହି ନିକଟରୁ ଜଣେ ଯୁବକଙ୍କ ମୋବାଇଲ ଛଡାଇ ନେବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବଳରାମ ପାତ୍ର ଏବଂ ନୟାଗଡ ଜିଲ୍ଲା ଦୁର୍ଗାପ୍ରସାଦ ଗ୍ରାମର ବିଜୟ କୁମାର ପ୍ରଧାନ। କେସ ନମ୍ବର ୫୮୪/୨୬ର ତଦନ୍ତ କରି ଆଜି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ମଟରସାଇକଲ ଏବଂ ମୋବାଇଲ ଜବତ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,ଗତ ୧୩ ତାରିଖ ଦିନ ଭେଜିପୁଟ ଅଞ୍ଚଳର ଶୁଭ୍ରପ୍ରତିକ ପାଢୀ ରାତି ପ୍ରାୟ ସାଢେ ୯ ଟା ସମୟରେ ନିଜ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଅଜଣା ଯୁବକ ଏକ ମଟରସାଇକଲରେ ଆସି ତାଙ୍କର ଆଇ ଫୋନକୁ ଝାମ୍ପି ନେଇଥିଲେ। ଏଥିସହ ତାଙ୍କୁ ଆକ୍ରମଣ କରିଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଏସ୍ଆଇ ସମୀର କୁମାର ସେଠୀ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ନେଇଯାଇଥିବା ମୋବାଇଲ ଉଦ୍ଧାର କରିଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

