ପୋଲସରା,୧୬।୭(ସୁଧାଂଶୁ ଶେଖର ସାବତ):ବିଶ୍ୱବନ୍ଦିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଗଞ୍ଜାମ ଜିଲ୍ଲାର ପୋଲସରା ସହର ସମେତ ବିଭିନ୍ନ ପଞ୍ଚାୟତରେ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ବହୁ ଆଡ଼ମ୍ବରରେ ରଥଯାତ୍ରା ପାଳିତ ହୋଇଯାଇଛି। ସହରର ବ୍ରାହ୍ମଣସାହି ଶ୍ରୀଜଗନ୍ନାଥ ମନ୍ଦିରରେ ସକାଳୁ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହେବା ପରେ ପହଣ୍ଡି ବିଜେରେ ଅପରାହ୍ନ ରେ ପ୍ରଭୁ ଶ୍ରୀ ଦଧିବାମନ ଜିଉଙ୍କ ରଥଟଣା ହୋଇଥିଲା। ଟାହିଆରେ ସୁସଜ୍ଜିତ ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟରେ ଶହଶହ ଭକ୍ତଙ୍କ ଭିଡ଼ ଜମିଥିଲା। ହରିବୋଲ, ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ରଥାରୋହଣ ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଥକୁ ଟାଣି ମାଉସୀ ମାଆ ମନ୍ଦିର ଅଭିମୁଖେ ନେଇଥିଲେ। ଏହି ଅବସରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଦୃଶ୍ୟ ସୃଷ୍ଟି ହୋଇଥିଲା। ପୋଲସରା ବ୍ରାହ୍ମଣସାହି ସମେତ ହାତୀଓଟ, କଳମ୍ବ, ସୋଡ଼କ, ଗୋଛାବାଡ଼ି, ମଥୁରା, ଚିରିକିପଡ଼ା ଶାସନ, ବାଲିଛାଇ, ଢୁଙ୍କାପଡ଼ା ପ୍ରମୁଖ ଗ୍ରାମରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରାଯାଇଥିଲା। ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଭଜନ-କୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ରଥଯାତ୍ରା ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ନଅ ଦିନ ପାଇଁ ମାଉସୀ ମାଆ ମନ୍ଦିରରେ ବିରାଜମାନ ରହିବେ। ଏହି ସମୟରେ ଭକ୍ତମାନେ ମାଉସୀ ମାଆ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଭକ୍ତଙ୍କ ସୁରକ୍ଷା, ଜନଗହଳି ଓ ଯାତାୟାତ ନିୟନ୍ତ୍ରଣ ପାଇଁ ପୋଲସରା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୋଲିସ ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ସମଗ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।

