ବେଲଗୁଣ୍ଠା,୧୮/୦୭(ଶିବରାମ ଚୌଧୁରୀ):ରଥରୁ ଓହ୍ଲାଇବା ପରେ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ବିଭିନ୍ନ ଅବତାରରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ବେଲଗୁଣ୍ଠା ପେଣ୍ଠ ସାହି ଆଡ଼ପ ମଣ୍ଡପରେ ମହାପ୍ରଭୁ ଶୁକ୍ରବାର ଦିନ ମତ୍ସ୍ୟ ଅବତାରରେ ଦର୍ଶନ ଦେଇଥିବା ବେଳେ ଶନିବାର ଦିନ ନୃସିଂହ ଅବତାରରେ ଦର୍ଶନ ଦେଇଛନ୍ତି। ଶନିବାର ଭୋର୍ ପାଞ୍ଚ ଘଣ୍ଟା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ପରେ ମହାପ୍ରଭୁଙ୍କ ବେଶଲାଗି,ଅବକାଶ ନୀତି,ବଲ୍ଲଭ ଏବଂ ଅନ୍ୟାନ୍ୟ ଦୈନିକ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ମହାପ୍ରଭୁଙ୍କ ନିକଟରେ ଅନ୍ନଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ପରେ ମହାପ୍ରଭୁ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ସାତଟା ତିରିଶି ମିନଟ ସମୟରେ ଆଡ଼ପ ମଣ୍ଡପରେ ଆଳତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ନୃସିଂହ ବେଶ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ପ୍ରତ୍ୟେକ ନୀତି,ବେଶ ଏବଂ ଆଳତି ଦେଖିବା ପାଇଁ ପେଣ୍ଠ ସାହିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମନ୍ଦିରର ମୁଖ୍ୟ ପୂଜକ ରାଧା ମୋହନ ଦାସ ଏବଂ ଅନୀଲ କୁମାର ପାତ୍ର ସମସ୍ତ ନୀତି ନିର୍ଘଣ୍ଟ ସମାପନ କରିଥିଲେ। ମନ୍ଦିର ପରିଚାଳନା ଟ୍ରଷ୍ଟି ଚିଦାନନ୍ଦ ପାତ୍ରଙ୍କ ତତ୍ତ୍ଵାବଧାନରେ ପରିଚାଳନା କମିଟି ସଦସ୍ୟମାନେ ସମସ୍ତ ନୀତି ନିର୍ଘଣ୍ଟରେ ସହଯୋଗ କରିଥିଲେ। ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ବରେ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ନଜର ରଖିଛନ୍ତି।

